ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ କଂସାରୀ କୁଦଠାରେ ନୂତନ ମଦ ଦୋକାନ ଖୋଲିବା ନେଇ ମହିଳାଙ୍କ ବିରୋଧ । କଂସାରି କୂଦ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ । ଏନେଇ ସ୍ଥାନୀୟ ବାଲିକୁଦା ବଜାର କାଠ ଗୋଲା ଛକ ନିକଟରେ ଜଗତସିଂହପୁର-ମାଛଗାଁ ମୁଖ୍ୟ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ବାଲିକୁଦା ବ୍ଲକର ଗୋଡା ଠାରେ ଥିବା ଏକ ମଦ ଦୋକାନ କୌଣସି କାରଣରୁ ବାଲିକୁଦାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଏହି ଅଞ୍ଚଳର ମହିଳାମାନେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ।
ମହିଳାମାନେ କହିଛନ୍ତି ଯେ, ଯଦି ଏହି ଅଞ୍ଚଳରେ ମଦ ଦୋକାନ ହୁଏ ତେବେ ଅଞ୍ଚଳ ଅଶାନ୍ତ ହେବ । ମୂଲ ମଜୁରୀ ଲାଗି ପରିବାର ଚଳାଉଥିବା ପୁରୁଷମାନେ ପାଖରେ ମଦ ଥିବା ଦେଖି ମଦପାନ କରିବେ । ଗାଁ ଭିତରେ ମଦ ଦୋକାନ ଖୋଲିଲେ ସେହି ସ୍ଥାନରେ ମହିଳାମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହେବ । ଛୋଟ ପିଲା ସେହି ରାସ୍ତା ଦେଇ ସ୍କୁଲ ଯିବା ସମ୍ଭବ ହେବନାହିଁ । ସ୍ଥାନୀୟ ଅଞ୍ଚଳକୁ ସଂଯୋଗ କରୁଥିବା ବାଲିକୁଦା ବଜାର, ମେଡିକାଲ, ଥାନା, ସ୍କୁଲ, କଲେଜକୁ ଆସିବା ପାଇଁ କଂସାରିକୁଦ ଏକମାତ୍ର ରାସ୍ତା ହୋଇଥିବା ବେଳେ ମଦ ଦୋକାନ ହେଲେ ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେବେ ।