ଜଗତସିଂହପୁର: ଜିଲ୍ଲାର ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତ ମହିଳା ଜଣକ ଏରସମା ଥାନା ଅନ୍ତର୍ଗତ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତା ରାଉତ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମେଡିକାଲ ପରିସରରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ମେଡିକାଲ ଫାଟକ ଆଗ 55ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକେ ଅବରୋଧ କରିବା ସହ ମୃତ ମହିଳାଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଗିରଫ ଦାବି କରିଛନ୍ତି ।
ଘଟଣାସ୍ଥଳରେ ତିର୍ତ୍ତୋଲ ଏସଡିପିଓ ଦୀପକ ଜେନା, ଏରସମା ତହସିଲଦାର, ଏରସମା ବିଡ଼ିଓ ଥାନା ଅଧିକାରୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏ ସମ୍ପର୍କରେ ମୃତ ମହିଳାଙ୍କ ପରିବାର ସହ ଆଲୋଚନା କରିଥିବାବେଳେ ଜିଲ୍ଲାପାଳ, ସିଡିଏମଓ ଆସି ଦାବି ପୁରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି । ଆନ୍ଦୋଳନକାରୀଙ୍କ ସହ ସିପିଆଇ, ଭାରତୀୟ ଜନତା ପାର୍ଟି, କଂଗ୍ରେସ ଦଳର ଛାମୁଆ ନେତାମାନେ ରହି ଘଟଣାର ପ୍ରତିବାଦ କରିଛନ୍ତି । ଘଟଣା ସମ୍ପର୍କରେ ମେଡିକାଲ ପରିସରରେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଏହାର ସମାଧାନ ପାଇଁ ଆଲୋଚନା କରୁଥିବା ଜଣାପଡିଛି ।