ଜଗତସିଂହପୁର:ପାରାଦ୍ୱୀପଠାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆଜି ଶେଷ ହୋଇଛି । ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗି ରହିଥିଲା । ଚଳିତ ବର୍ଷ ପାରାଦ୍ୱୀପ ସହରରେ ମୋଟ ୧୬ଟି ପୂଜା ମଣ୍ଡପରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇଥିଲା । ଗଗନଚୁମ୍ବି ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ବନ୍ଦର ସହର ଝଲସି ଉଠିଥିଲା । କୋରୋନା କଟକଣା ହେତୁ ବିଶ୍ୱକର୍ମା ପୂଜା ଗତ 3 ବର୍ଷ ଧରି ନିରାଡ଼ମ୍ବର ଭାବେ ପାଳନ ହେଉଥିଲା । ହେଲେ ଚଳିତ ବର୍ଷ ଧୁମଧାମରେ ପୂଜାର ଆୟୋଜନ କରାଯାଇଥିବାବେଳେ ଏଥର ପୂଜା ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।
ଏହା ବି ପଢନ୍ତୁ...ଆଇଟିଆଇ ପରିସରରେ ପୂଜା ପାଉଛନ୍ତି ରୋବୋଟିକ୍ ବିଶ୍ବକର୍ମା
ଆଜିର ଏହି ଉଦଯାପନୀ ଉତ୍ସବରେ ପାରାଦ୍ୱୀପ ପ୍ରଶାସନ ଓ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜାରେ କରାଯାଇଥିବା ସାଜସଜ୍ଜା ପାଇଁ ପୂଜା ମଣ୍ଡପଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ବିଶ୍ୱକର୍ମା ପୂଜାରେ ସାଜସଜ୍ଜା ପାଇଁ OMFPA ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଡ଼ମ୍ଫର ଆସୋସିଏସନ ଓ ତୃତୀୟ ସ୍ଥାନରେ ପାରାଦ୍ୱୀପ ଡକ୍ ଆସୋସିଏସନ ପୁରସ୍କୃତ ହୋଇଛି। ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରନାଦ ଉପସ୍ଥିତ ରହି ପୂଜା ମଣ୍ଡପର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।