ଓଡିଶା

odisha

ETV Bharat / state

ଜମି ନେଇ କ୍ଷତି ପୂରଣ ଦେଉନି କମ୍ପାନୀ, ଗର୍ଜିଲେ ଗ୍ରାମବାସୀ

ପାରାଦ୍ବୀପଠାରେ ଥିବା ଆର୍ସେଲ ମିତ୍ତଲ କମ୍ପାନୀକୁ ନେଇ ଗ୍ରାମବାସୀମାନେ ବିରୋଧ କରିବା ସହ କମ୍ପାନୀର ମୁଖ୍ୟ ଗେଟରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : May 23, 2023, 9:03 AM IST

villagers protest
villagers protest

ଗର୍ଜିଲେ ଗ୍ରାମବାସୀ

ଜଗତସିଂହପୁର:ପାରାଦ୍ବୀପରେ ପୁଣି ତାତିଲେ ଗ୍ରାମବାସୀ । ଶିଳ୍ପକୁ ନେଇ ପୁଣି ଆରମ୍ଭ ହୋଇଛି ବିବାଦ । ବିସ୍ଥାପିତ ଲୋକଙ୍କୁ ଅନ୍ୟତ୍ର ଜାଗା ଓ କ୍ଷତି ପୂରଣ ବାବଦ ଅର୍ଥ ଦେଇ ନ ଥିବା ନେଇ ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମ ପାଖରେ । କମ୍ପାନୀକୁ ନେଇ ଗ୍ରାମବାସୀମାନେ ବିରୋଧ କରିବା ସହ କମ୍ପାନୀର ମୁଖ୍ୟ ଗେଟରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପାରାଦ୍ବୀପଠାରେ ଥିବା ଆର୍ସେଲ ମିତ୍ତଲ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମୟରେ ହାଣ୍ଡିଆ ଗ୍ରାମବାସୀମାନଙ୍କୁ ବିସ୍ଥାପିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ବିସ୍ଥାପିତ ଲୋକଙ୍କୁ ଅନ୍ୟତ୍ର ଜାଗା ଓ କ୍ଷତି ପୂରଣ ବାବଦ ଅର୍ଥ ଦିଆଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟତ୍ର ଜାଗା ଚିହ୍ନଟ ସହିତ କ୍ଷତି ପୂରଣ ଅର୍ଥ ପ୍ରଦାନ ନ କରି କମ୍ପାନୀ ଜୋର ଜବରଦସ୍ତ ପାଚେରୀ ବୁଲାଇବା ଯୋଗୁଁ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ କମ୍ପାନୀ ପାଚେରୀ କାମ ବନ୍ଦ ରଖିବା ସହିତ ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରେ ପୁଣି ପାଚେରୀ କାର୍ଯ୍ୟ କରିବାରୁ ଗ୍ରାମବାସୀ ଧାରଣା ଦେଇଥିଲେ । ତେବେ ଧାରଣାକୁ ଆଜିକୁ ପ୍ରାୟ 3ମାସ ପୂରଣ ହୋଇଥିବା ବେଳେ ଗ୍ରାମବାସୀମାନେ କମ୍ପାନୀ ଅଚଳ କରିବାକୁ ଚେତାବନୀ ଦେଇଛନ୍ତି ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ପ୍ରତିଷ୍ଠା ସମୟରେ ସେମାନଙ୍କଠାରୁ ଶାଗ ମାଛ ଦରରେ ଭିଟାମାଟି ନେଇଥିଲେ ମଧ୍ୟ ସଠିକ କ୍ଷତି ପୂରଣ ପ୍ରଦାନ ଆଜି ପର୍ଯ୍ୟନ୍ତ କରିନାହିଁ । ଯେଉଁ ଜମିରେ ଫସଲ କରି ପରିବାର ଲୋକ ଜୀବିକା ନିର୍ବାହ କରିଥିଲେ କମ୍ପାନୀ ସେ ଜମିକୁ ଛଡାଇ ନେଇଛି । ଜମି ନେବାବେଳେ ଅଗ୍ରାଧିକାର ଭିତ୍ତିରେ ବିସ୍ଥାପିତମାନଙ୍କୁ ନିଯୁକ୍ତି ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ । ହେଲେ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । ଫଳରେ କମ୍ପାନୀକୁ ଜମି ଦେଇଥିବା ଲୋକେ ଦାଦନ ଖଟିବା ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେହିଭଳି ଗ୍ରାମର 70 ଭାଗ ଜମି କମ୍ପାନୀ ନେଇ ଯାଇଥିବା ବେଳେ ଅବଶିଷ୍ଟ 30 ଭାଗ ଜମିରେ ଜୋର ଜବରଦସ୍ତ ପାଚେରୀ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ବିସ୍ଥାପିତଙ୍କୁ ଅନ୍ୟତ୍ର ଜମି ନଦେଇ କିଭଳି କମ୍ପାନୀ ପାଚେରୀ ନିର୍ମାଣ କରୁଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ କମ୍ପାନୀ କର୍ତ୍ତୃପକ୍ଷ ଯଦି ଏହାକୁ ନେଇ ଯଦି କୌଣସି ସମାଧାନର ପନ୍ଥା ବାହାର ନକରନ୍ତି ତେବେ ହାଣ୍ଡିଆ ଗ୍ରାମବାସୀମାନେ କମ୍ପାନୀର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details