ଜଗତସିଂହପୁର:ପାରାଦ୍ବୀପରେ ପୁଣି ତାତିଲେ ଗ୍ରାମବାସୀ । ମାଟିବନ୍ଧ କାମ କରିବାକୁ ଆସିଥିବା ଜେସିବି ମେସିନ ଆଗରେ ଗ୍ରାମବାସୀ ବସିବା ସହ ବିରୋଧ ମଧ୍ୟ କରିଥିଲେ। ଏନେଇ ପରିସ୍ଥିତି ଉତ୍ତେଜନା ହେବାରୁ କାମ କରିବାକୁ ଆସିଥିବା ଜେସିବି ମେସିନ ମଧ୍ୟ ଫେରିଗଲା । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମ ପାଖରେ ।
'ଆର୍ସେଲର ମିତ୍ତଲ ନିପନ ଷ୍ଟିଲ' କମ୍ପାନୀର ପାଚେରୀ କାମ ପାଇଁ ମାଟି ଘେରି ବନ୍ଧ ନିର୍ମାଣ କାମ କିଛି ଠିକାଦାର ନେଇଥିବା ବେଳେ ବିସ୍ଥାପିତ ହେଉଥିବା ହାଣ୍ଡିଆ ଗ୍ରାମବାସୀ ଏହି କାମକୁ ବିରୋଧ କରିବା ସହ କାମ କରାଇ ଦେଇନାହାନ୍ତି । କମ୍ପାନୀ ପାଇଁ ନୂଆଗଡ ପଞ୍ଚାୟତ ର ସମ୍ପୂର୍ଣ୍ଣ ହାଣ୍ଡିଆ ଗ୍ରାମଟି ବିସ୍ଥାପିତ ହେଉଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ ମଧ୍ୟ କରାଯାଇନାହିଁ। ଏମିତିକି ପରିବାର ର ଜଣଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି । ହେଲେ କମ୍ପାନୀ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇ ପ୍ରତାରଣା କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ଗତ ତିନିମାସ ତଳେ ଏହିଭଳି ସମସ୍ୟା ଉପୁଜୁଥିଲା ଓ କମ୍ପାନୀ କର୍ତ୍ତୃପକ୍ଷ ଏହାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଲୋକେ ଆନ୍ଦୋଳନ ରୁ ଓହରିଥିବା ଦେଖାଯାଇଥିଲା । କିନ୍ତୁ କମ୍ପାନୀ ପରବର୍ତ୍ତୀ ସମୟରେ ସମସ୍ୟା ର ସମାଧାନ ନ କରି କିଛି ଠିକାଦାରଙ୍କୁ ନେଇ ପାଚେରୀ କାମ ପାଇଁ ଜେସିବି ମେସିନ୍ ଓ ହାଇଓ୍ବା ଗାଡି ଦ୍ବାରା ମାଟି ପକାଉଥିଲେ । ହେଲେ ଖବର ପାଇ ଗ୍ରାମବାସୀମାନେ କାମକୁ ବନ୍ଦ କରିଥିବା ଦେଖାଯାଇଛି । ଏମିତିକି ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ନାହିଁ କି ପରିବେଶ ପାଇଁ କାରଖାନା କର୍ତ୍ତୃପକ୍ଷ ଯତ୍ନଶୀଳ ରହୁ ନାହାନ୍ତି ।