ଓଡିଶା

odisha

By

Published : Nov 1, 2022, 8:53 AM IST

Updated : Nov 1, 2022, 12:19 PM IST

ETV Bharat / state

ଏକ ଯୁଗର ଅନ୍ତ, ଆଉ ନାହାନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ

ଜଗସିଂହପୁର ଜିଲ୍ଲାର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ବିୟୋଗ ହୋଇଛି । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସଂଗ୍ରାମୀ ବିଶ୍ବନାଥ । ମୃତ୍ୟୁ ବେଳକୁ ତାଙ୍କୁ 106 ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପରଲୋକ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପରଲୋକ

ଜଗତସିଂହପୁର: ଆଉ ନାହାନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ ।ନୀରବି ଯାଇଛନ୍ତି ବାଲିକୁଦା ମାଟିର ଗାନ୍ଧୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ । ଗତକାଲି (ସୋମବାର) ବିଳମ୍ବିତ ରାତିରେ 106 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଫେରା ରାଇଜକୁ ଚାଲି ଯାଇଛନ୍ତି ସଂଗ୍ରାମୀ ବିଶ୍ବନାଥ ଦାସ । ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣ କରି ଦୁଇ ଦୁଇ ଥର କାରାବରଣ ଭୋଗିଥିଲେ ସଂଗ୍ରାମୀ ବିଶ୍ୱନାଥ ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପରଲୋକ

1917 ଜୁନ 17 ତାରିଖରେ ଜଗତସିଂହପୁର ଜିଲ୍ଲା ସିନ୍ଦୋଳ ଗାଁରେ ଜନ୍ମ ଗ୍ରହଣ କରିଥିଲେ ବିଶ୍ୱନାଥ ଦାସ । ପିତା ଘନଶ୍ୟାନ ଦାସ ଓ ମାତା ବେଲ ଦେଇଙ୍କ କୋଳ ମଣ୍ଡନ କରିଥିଲେ ବିଶ୍ବନାଥ । ସ୍କୁଲରେ ପଢିବା ସମୟରୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ମାତ୍ର 16ବର୍ଷ ବୟସରେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ । ପରେ ବ୍ରିଟିଶ ଦ୍ଵାରା ଗିରଫ ହୋଇ ଦୁଇ ଦୁଇ ଥର ଜେଲ ଯାଇଥିଲେ । ଏରସମାର ଥାନା ପୋଡି ସମୟରେ ସେ କାରବରଣ ସହିଥିଲେ । ଏହି ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀଙ୍କୁ 2020 ଅଗଷ୍ଟ 9 କ୍ରାନ୍ତି ଦିବସରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବର୍ଦ୍ଧିତ କରିଥିଲେ ।

ସେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ରାମେଶ୍ୱର ଠାକୁର, ମୁରଲିକାନ୍ତ ଚନ୍ଦ୍ରକାନ୍ତ ଭଣ୍ଡାରେ, ଏସି ଜମିର ଓ ବର୍ତ୍ତମାନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଠାରୁ 7ଥରରୁ ଅଧିକ ଥର ସମ୍ବର୍ଦ୍ଧିତ ହୋଇଥିଲେ । ଏହା ସହିତ ଅନେକ ଅନୁଷ୍ଠାନ ଦ୍ବାରା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ ବିଶ୍ବନାଥ ଦାସ । ତାଙ୍କର ବିୟୋଗ ରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି । ଏହା ଏକ ଅପୂରଣୀୟ କ୍ଷତି । ଆଜି ସକାଳ 10ରେ ତାଙ୍କର ପାର୍ଥିବ ଶରୀର ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବାର କାର୍ଯ୍ୟକ୍ରମ ରହିଛି । ପରେ ପୈତୃକ ଗ୍ରାମ ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ସିନ୍ଦୋଳରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 1, 2022, 12:19 PM IST

ABOUT THE AUTHOR

...view details