ଜଗତସିଂହପୁର:ବିସ୍ମୟ ବାଳିକା ଦିବ୍ୟାନ୍ସି । ମାତ୍ର ଦୁଇବର୍ଷ ବୟସରେ ନିଜର ପ୍ରତିଭା ବିକଶିତ କରି ପାଇପାରିଛନ୍ତି ସଫଳତା । ସମ୍ପୂର୍ଣ୍ଣ ପାଟି ଖୋଲି ନଥିବା ଦିବ୍ୟାନ୍ସି ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସର ଅଧିକାରୀ ହୋଇପାରିଛନ୍ତି । ଯାହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତେ ଗର୍ବିତ ଅନୁଭବ କରିଛନ୍ତି ।
ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ବିରିବାଟି ଗ୍ରାମର ସ୍ବର୍ଗତ ସନ୍ତୋଷ ଜେନା ଓ ସ୍ବର୍ଣ୍ଣପ୍ରଭା ଜେନାଙ୍କ ଦୁଇ ବର୍ଷର ଝିଅ ଦିବ୍ୟାନ୍ସି । ସ୍କୁଲ ଯାଇନଥିବା ଦିବ୍ୟାନ୍ସିର ପ୍ରତିଭା ଦେଖିଲେ ସାଧାରଣ ଲୋକେ ବିସ୍ମିତ ହୋଇପଡୁଛନ୍ତି । ଦିବ୍ୟାନ୍ସି ନିମିଷକେ 20ଟି ଫଳର ନାମ, 20ଟି ଫୁଲର ନାମ, 18ଟି ପକ୍ଷୀ, 21ଟି ପନିପରିବା, 42ଟି ପଶୁ, 8ଟି କୀଟପତଙ୍ଗ, 17ଟି ଯାନବାହନ, 18ଟି ବାଦ୍ୟଯନ୍ତ୍ର, 16ଟି ଜୀବିକା ଓ 12ଟି ରଙ୍ଗର ନାମ ଇଂରାଜୀରେ ଅତି ସ୍ପଷ୍ଟ ଭାବେ କହିପାରୁଛନ୍ତି । ସେହିଭଳି ବିନା ମାନଚିତ୍ରରେ ସେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ନାମ ଅତି ନିର୍ଭୁଲ ଭାବରେ କହିପାରୁଛନ୍ତି ।