ମା' ଶାରଳାଙ୍କ ପୀଠରେ ବିଶୃଙ୍ଖଳା ସ୍ଥିତି, ପୂଜାର୍ଚ୍ଚନାକୁ ନେଇ ହାତାହାତି ୨ ପୂଜକ ଗୋଷ୍ଠୀ ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଦିନକୁ ଦିନ ବିଶୃଙ୍ଖଳା ବଢିବାରେ ଲାଗିଛି । ପୂଜାର୍ଚ୍ଚନାକୁ ନେଇ ହାତାହାତି ୨ ପୂଜକ ଗୋଷ୍ଠୀ । କିଛି ସମୟ ମଧ୍ୟରେ ମନ୍ଦିର ପରିସର ରଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ଭୟରେ ମନ୍ଦିର ଛାଡ଼ି ପଳାଇଥିଲେ । ତେବେ ଘଟଣା ବଢିବାର ଦେଖି ମୁତୟନ ହୋଇଥିବା ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।
ଆଜି ମନ୍ଦିର ବେଢାରେ ବାହାର ଜିଲ୍ଲାରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କୁ ନେଇ ଦୁଇ ପୂଜକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ହୁଣ୍ଡି ବାକ୍ସ ଭଙ୍ଗାଯିବା ଘଟଣାରେ ଉପସ୍ଥିତ ଥିବା ପୋଲିସ ଏହାକୁ ରୋକିବା ସହିତ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଜଣେ ଭକ୍ତ ଆଜି ମା' ଶାରଳାଙ୍କ ଦର୍ଶନ ପାଇଁ ଆସିଥିଲେ । ସେ ପୂଜାର୍ଚ୍ଚନା କରିବା ପାଇଁ ଚାହିଁବା ପରେ କୌଳିକ ପଣ୍ଡା ଭାବରେ ଜଣେ ପୂଜକ ତାଙ୍କର ପୂଜାର୍ଚ୍ଚନା କରିଥିଲେ । ଅନ୍ୟ ଜଣେ ପୂଜକ ସେହି ଭକ୍ତକୁ ନିଜ ଯଜମାନ ବୋଲି ଦାବି କରିଥିଲେ ।
ଏହା ବି ପଢନ୍ତୁ- ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି, ୩ ଅଟକ
ଉପସ୍ଥିତ ଭକ୍ତଙ୍କ ସାମ୍ନାରେ ଉଭୟ ପୂଜକଙ୍କ ମଧ୍ୟରେ ଉଚ୍ଚବାଚ ଓ ପରେ ହାତାହାତି ଭଳି ପରିସ୍ଥିତି ଉପୁଜିଥିଲା । କିଛି ସମୟ ମନ୍ଦିର ପରିସର ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଘଟଣା ବଢିବାର ଦେଖି ମୁତୟନ ହୋଇଥିବା ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣା ଦେଖି ପୂଜା ଓ ଦର୍ଶନ ପାଇଁ ଆସିଥିବା ଭକ୍ତ ଭୟରେ ମନ୍ଦିର ଛାଡି ଚାଲିଯାଉଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ମନ୍ଦିର ପ୍ରଶାସନର ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ମନ୍ଦିର ପ୍ରଶାସନର ଚରମ ଅବହେଳା ଯୋଗୁଁ ବହୁ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳ ଥିବା ସମୟରେ ମା' ଶାରଳାଙ୍କ ମନ୍ଦିରର ସଂସ୍କାର ଆଣିଥିଲେ । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପୂଜକ ମାନଙ୍କ ଜୁଲମ ଉପରେ ଅଙ୍କୁଶ ଲଗାଇବା ପାଇଁ କଡା କଡା ପଦକ୍ଷେପ ଗ୍ରହଣ କରିଥିଲେ । ଯଦି ଯେଉଁ ପୂଜକ ଭକ୍ତଙ୍କୁ ଜୋରଜବରଦସ୍ତ ଅର୍ଥ ଦାବି କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ସେବାରୁ ବହିଷ୍କାର କରିବାର ବ୍ୟବସ୍ଥା କରାଯାଇଥିଲା । ସଂଗ୍ରାମ ମହାପାତ୍ରଙ୍କ ବଦଳି ପରେ ଏବେ ଶାରଳାଙ୍କ ମନ୍ଦିରରେ ଅତି ବିଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଜଗତସିଂହପୁର