ଜଗତସିଂହପୁର:କିଛି ଦିନର ନୀରବତା ପରେ ପୁଣି ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶଙ୍କ ବିବାହ ବିବାଦ ଘଟଣାକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଘଟଣାକୁ 90ଦିନ ବିତିଯାଇଥିବା ବେଳେ ଏବେ ତଦନ୍ତ ପାଇଁ ଆଉ 30 ଦିନ ସମୟ ମାଗିଛି ଜଗତସିଂହପୁର ପୋଲିସ । ଏହାକୁ ନେଇ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବା ଅଭିଯୋଗକାରିଣୀ ତଥା ବିଧାୟକ ବିଜୟ ଶଙ୍କର ବାନ୍ଧବୀ ସୋମାଲିକା ଦାଶ ଜଣାଇଛନ୍ତି । ଜଗତସିଂହପୁର ପୋଲିସ ତଦନ୍ତ ଆଳରେ ବାରମ୍ବାର ସମୟ ଗଡାଉଥିବା କହିଛନ୍ତି ସୋମାଲିକା ଦାଶ ।
ସୂଚନାଅନୁସାରେ, ବିଜେଡି ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ସହ ଜଗତସିଂହପୁର ଦେଉଳି ଗ୍ରାମେଶ୍ୱର ଗାଁର ସୋମାଲିକାଙ୍କ ସହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ବାନ୍ଧବୀ ସୋମାଲିକା ଦାଶ । ସୋମାଲିକା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରେ ପୀଡିତା ବିଧାୟକ ବିଜୟ ଶଙ୍କରଙ୍କ ନାମରେ ତତ୍କାଳୀନ ଏସପି ଅଖିଲେଶ୍ୱର ସିଂଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଚାପ ବଢିବା ଦେଖି ବିଧାୟକ ବିଜୟ ଶଙ୍କର ଦାସ ମେ 17 ତାରିଖ 2022ରେ ଜଗତସିଂହପୁର ସବରେଜିଷ୍ଟ୍ରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ । ଆବେଦନର ଏକମାସ ପରେ ଅର୍ଥାତ 18 ଜୁନ 2022ରେ ଉଭୟଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ ସେଦିନ ବିଜୟ ଶଙ୍କର ଧରାଛୁଆ ଦେଇ ନଥିଲେ । ଫଳରେ ନିରାଶ ହୋଇ ପ୍ରେମିକା ସୋମଲିକା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦିନ ପରେ ଦିନ ଗଡି ଚାଲିଥିବା କିନ୍ତୁ ଜଗତସିଂହପୁର ପୋଲିସ ଏହାକୁ ନେଇ ମାମଲା ରୁଜୁ କରି ନଥିଲା । ଯାହାକୁ ନେଇ ସୋମାଲିକା ପୋଲିସ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।