ଜଗତସିଂହପୁର:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ହୋଇଥିବା ପ୍ରତାରଣା ଅଭିଯୋଗ ବିବାଦୀୟ ମୋଡରେ ରହିଛି । ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି । ତିର୍ତ୍ତୋଲ ବିଧାୟକ ଓ ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ନୂଆ ମୋଡ ନେବାରୁ ଲାଗିଛି । ବିଧାୟକଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ବଢିବାରେ ଲାଗିଛି । ଏହାରି ଭିତରେ ବିଜେଡି ଛାତ୍ର ସଂଗଠନ ପରେ ବିଧାୟକଙ୍କ ସପକ୍ଷରେ ବିଜୁ ମହିଳା ଜନତା ଦଳ ବାହିରିଛନ୍ତି । ବିଧାୟକଙ୍କୁ ସମର୍ଥନ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
ରଘୁନାଥପୁର ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଧାୟକଙ୍କୁ ସମର୍ଥନ କରାଯାଇଛି । ସମ୍ମିଳନୀରେ କୁହାଯାଇଛି ଯେ, '' ବିଧାୟକ ବିଜୟ ଶଙ୍କରଙ୍କୁ ନେଇ ଯେଉଁ ସବୁ ଖବର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡଆରେ ସାମ୍ନାକୁ ଆସୁଛି ଏଥିରେ ବିଜୁ ମହିଳା ଜନତା ଦଳ ଚକିତ । ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସୋମାଲିକା ଦାଶ ପୂର୍ବରୁ ଯେଉଁ ଫଟୋ ଭାଇରାଲ କରିଥିଲେ ସେଥିରେ ଉଭୟଙ୍କ ସହମତିରେ ଫଟୋ ଗୁଡିକ ଉଠାଯାଇଥିଲା । ତାର କିଛିଦିନ ପରେ ବିଧାୟକଙ୍କ ନାମରେ ଦୁଷ୍କର୍ମ ସେକ୍ସ ରାକେଟ ଚଳାଉଥିବା ଭଳି ଅଭିଯୋଗ ବିଧାୟକଙ୍କ ଉପରେ ଲଦି ଦିଆଯାଇଛି । ଏହାର ନିରପେକ୍ଷ ତଦନ୍ତ କରାଯାଉ ।''
ସେହିପରି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଦଳ, ''ପୀଡିତା ସୋମାଲିକା ଦାଶ ଅଭିଯୋଗ କରିବା ପରେ କଣ ପାଇଁ ବୟାନ ରେକର୍ଡ କରାଗଲା ନାହିଁ ଓ ଏଥିରେ ପୋଲିସର ଭୂମିକାକୁ ଉପରେ ପ୍ରଶ୍ନ ଉଠୁଛି । ମହିଳାଙ୍କ ସମ୍ମାନ ଦୃଷ୍ଟିରୁ ଅଭିଯୋଗକାରିଣୀଙ୍କ ଅଭିଯୋଗରେ ଯଦି ସତ୍ୟତା ରହିଛି, ତେବେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି କରାଯାଇଛି।''
ଏହା ବି ପଢନ୍ତୁ... Tirtol MLA Marriage Controversy: ଅଜଣା କଲରୁ ସୋମାଲିକାଙ୍କୁ ବୁଝାମଣା ପାଇଁ ପଡୁଛି ଚାପ
ଏହି ଘଟଣାକୁ ନେଇ ସୋମାଲିକାଙ୍କ ପରାମର୍ଶଦାତା ସ୍ନିଗ୍ଧାରାଣୀ ବିଶ୍ବଳଙ୍କୁ ଟାର୍ଗେଟ କରିଛି ବିଜୁ ମହିଳା ଜନତା ଦଳ । ସୋମାଲିକାଙ୍କୁ ନେଇ ତାଙ୍କ ସହଯୋଗୀ ଯେଉଁ ପ୍ରକାର ଭାବରେ ବିଧାୟକ ଓ ବିଜୁ ଜନତା ଦଳକୁ ସମାଲୋଚନା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଦଳକୁ ବଦନାମ କରିବା ପାଇଁ ସେ ଯେଉଁ ମସୁଧା ଚଳାଇ ଆସୁଛନ୍ତି ତାହାର ତଦନ୍ତ ଦାବି କରିଛି ବିଜୁ ଜନତା ମହିଳା ।