ଓଡିଶା

odisha

ତେଜୁଛି ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବି, ଲଜ୍ଜା ଦିବସ ପାଳିଲା ମହିଳା କଂଗ୍ରେସ

By

Published : Mar 1, 2023, 8:57 AM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି । ବିଧାୟକଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିବା ସହ ଲଜ୍ଜା ଦିବସ ପାଳନ କରିଛି ମହିଳା କଂଗ୍ରେସ । ଅଧିକ ପଢନ୍ତୁ

mahila congress protest aganist mla bijay shankar
ବିଜୟ ଶଙ୍କରଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ

ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବି

ଜଗତସିଂହପୁର:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବି ନେଇ ଆନ୍ଦୋଳନ ତେଜିବାକୁ ଲାଗିଛି । ବିଧାୟକଙ୍କ ବହିଷ୍କାର ଓ ଗିରଫ ଦାବି କରି ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ସହ ଲଜ୍ଜା ଦିବସ ପାଳନ କରିଛି । ରଘୁନାଥପୁରଠାରେ ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା କରାଯାଇ ବିଜୁ ପଟ୍ଟନାୟକ ଛକ ନିକଟରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ ମହିଳା କର୍ମୀମାନେ ରଘୁନାଥପୁର ଥାନା ନିକଟରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ବିଧାୟକଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେବା ସହ ଲଜ୍ଜା ଦିବସ ପାଳିଥିଲା ମହିଳା କଂଗ୍ରେସ । ବିଧାୟକ ବିଜୟ ଶଙ୍କରଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କେଉଁଥି ପାଇଁ ଜିଲ୍ଲା ପୋଲିସ ତାଙ୍କୁ ଗିରଫ କରୁନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଜଣେ ସାଧାରଣ ଲୋକଙ୍କ ନାମରେ ଯଦି ଏହି ଭଳି ସଙ୍ଗିନୀ ଅଭିଯୋଗ ଆସିଥାନ୍ତା ତେବେ ପୋଲିସ ତାକୁ କେବେ ଠାରୁ ଗିରଫ କରି କୋର୍ଟ ଚାଲାଣ କରି ସାରିଥାନ୍ତା ହେଲେ ବିଧାୟକ ବିଜୟ ଶଙ୍କର ଦାସ ଜଣେ ଶାସକ ଦଳର ବିଧାୟକ ହୋଇ ଥିବାରୁ ତାଙ୍କୁ ଗିରଫ ତ ଦୂରର କଥା ପୋଲିସ ପଚରାଉଚରା କରିବାକୁ ସାହସ କରୁନାହିଁ ବିଜୟ ଶଙ୍କରଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି ବୋଲି କହି ବର୍ଷିଥିଲା ମହିଳା କଂଗ୍ରେସ । ଏହା ମାଆକୁ କି ପ୍ରକାର ସମ୍ମାନ ବୋଲି ମହିଳା କଂଗ୍ରେସ ପ୍ରଶ୍ନ କରିଛି । ବିଧାୟକଙ୍କ ଗିରଫ ଦାବିରେ ମହିଳା କଂଗ୍ରେସ କର୍ମକର୍ତ୍ତାମାନେ କଳା ବ୍ୟାଚ ପିନ୍ଧିବା ସହ ଗଣ ବିକ୍ଷୋଭ କରିଥିଲେ ।

ଏହା ବି ପଢନ୍ତୁ...ବିଧାୟକ ବିଜୟ ଶଙ୍କରଙ୍କ ଦୋଷକୁ ଘଣ୍ଟ ଘୋଡାଉଛି ବିଜେଡି: ଛାତ୍ର କଂଗ୍ରେସ

ବିଧାୟକଙ୍କୁ ତୁରନ୍ତ ଗିରଫ କରା ନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ମହିଳା କଂଗ୍ରେସ ଚେତାବନୀ ଦେଇଛି । ବିଜେପି ମଧ୍ୟ ଏହି ଘଟଣାକୁ ନେଇ ପୂର୍ବରୁ ରାଜରାସ୍ତାକୁ ଓହ୍ଲାଇ ସାରିଛି । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସର ଏହି ଆକ୍ରମଣ ବିଧାୟକ ଓ ବିଜେଡି ଦଳକୁ ଅଡ଼ୁଆରେ ପକାଇଛି । ଶାସକ ଦଳ କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।

କଂଗ୍ରେସ ନେତା ହିମାଂଶୁ ମଲ୍ଲିକ କହିଛନ୍ତି,'' ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ଏତଲା ଦେବାର 26 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯାହାକୁ ନେଇ ବିରୋଧୀ ତୁମ୍ଭି ତୋଫାନ କରିଛନ୍ତି । ଯେଉଁ ଦଳ ନାରୀକୁ ସମ୍ମାନର ଡିଣ୍ଡିମ ପିଟୁଛି ସେହି ଦଳର ସୁପ୍ରିମୋ କଣ ପାଇଁ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଉ ନାହାଁନ୍ତି ।''

ପ୍ରକାଶଥାଉ କି, ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ନାମରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ଏହାସହ ମାମଲା ରଫା ଦଫା ପାଇଁ ତାଙ୍କୁ ଧମକପୂର୍ଣ୍ଣ ଫୋନ ଆସୁଥିବା ନେଇ ମଧ୍ୟ ଥାନାରେ ଏତଲା ଦେଇଛନ୍ତି ହେଲେ ଏଯାଏ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details