ଜଗତସିଂହପୁର:ବିଦାୟ ନେଉଛି ବର୍ଷ ୨୦୨୩ । ଆଉ କିଛି ଘଣ୍ଟା ପରେ ଦେଶବାସୀ ନୂଆବର୍ଷ ୨୦୨୪କୁ ସ୍ବାଗତ କରିବେ । ତେବେ ନୂଆବର୍ଷରେ ଲୋକେ ଦେବାଦେବୀଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା ସହିତ ନବବର୍ଷ ଆରମ୍ଭ କରିଥାଆନ୍ତି । ଏଥିଲାଗି ଜିଲ୍ଲାର ପ୍ରସିଦ୍ଧ ମା' ଶାରଳା ମନ୍ଦିର ଓ ବିଭୁତି କ୍ଷେତ୍ର ଶ୍ରୀଗୋରେଖନାଥଙ୍କ ମନ୍ଦିରରେ ନୂଆବର୍ଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।
ରବିବାର ରାତି ୩ଟାରୁ ମା' ଶାରଳାଙ୍କ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ନୂଆବର୍ଷରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି । ସେହିପରି ପ୍ରଭୁ ଗୋରେଖନାଥଙ୍କ ପୀଠରେ ମଧ୍ୟ ଆଜି ରାତି ୨ଟା ସମୟରେ ପହଡ଼ ଫିଟାଯାଇ ମଙ୍ଗଳ ଆଳତୀ କରାଯିବ । ମା' ଶାରଳା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ, ରବିବାର ରାତି ୩ଟାରୁ ପହଡ଼ ଖୋଲାଯାଇ ପ୍ରଥମେ ମଙ୍ଗଳ ଆଳତୀ କରାଯିବ । ଏହାପରେ ମଇଲମ, ମନ୍ଦିର ଶୋଧ ପରେ ମା'ଙ୍କ ମାର୍ଜଣା ନୀତି ସମ୍ପାଦନ କରାଯିବ । ଭୋର ୫ଟା ସୁଦ୍ଧା ମା'ଙ୍କର ନୀତିକାନ୍ତି ସମାପନ ହେବାପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବେବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ।
ଏହା ବି ପଢନ୍ତୁ- ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି