ପାରାଦ୍ବୀପ: ଦିନେ ଥାନାରେ ହୋମଗାର୍ଡ ଭାବେ କାମ କରୁଥିଲେ । ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ । ଦୁଇ ପୁଅଙ୍କୁ ମଣିଷ କଲେ । ହେଲେ ଆଜି ସେହି ପୁଅ ପାଇଁ ଅଲୋଡ଼ା ହେଲା ମାଆ । ପରିଣତ ବୟସରେ ଘରୁ ବାହାର କରି ରାସ୍ତାରେ ଛାଡ଼ିଦେଲା । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସହରରୁ ଜଣେ ଅସହାୟ ବୃଦ୍ଧା ଉଦ୍ଧାର ହୋଇଛନ୍ତି । ସ୍ୱାମୀ ଚାଲିଗଲା ପରେ ନିଜ ପୁଅକୁ ଭରସା କରି ଜୀବନ ବିତାଉଥିବା ବୃଦ୍ଧା ମାଆକୁ ପୁଅବୋହୂ ଘରୁ ବିତାଡିତ କରି ଦେଇଥିବା ଅଭିଯୋଗ ହୋଇଛି ।
ଦିନ ଥିଲା ପାରାଦ୍ବୀପ ଥାନାରେ ଚାକିରି କରିଥିଲେ । ଖାକି ବର୍ଦ୍ଦିରେ ବଡ ବାବୁମାନଙ୍କୁ ସାଲୁଟ ମାରୁଥିଲେ । ନିଦ୍ଦେର୍ଶ ପାଇଲା ମାତ୍ରେ ବଜାର, ଗଳିକନ୍ଦିରେ ବୁଲି ସାଧାରଣ ଜନତାଙ୍କୁ ଆଇନର ସହାୟତା ଯୋଗାଇ ଦେଉଥିଲେ । କିନ୍ତୁ ଆଜି ସେହି ଥାନା ଆଗରେ ନ୍ୟାୟ ମାଗୁଛନ୍ତି । ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ । ନା ସେ ଠିକ ସେ ଚାଲିପାରୁଛନ୍ତି ନା କଥା କହିପାରୁଛନ୍ତି । ପୁଅବୋହୂଙ୍କ ନିର୍ଯାତନା ଦୁଃଖରେ ସେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ କହିବା ଅନୁଯାୟୀ, "ହୋମଗାର୍ଡ ଚାକିରିରୁ ଅବସର ନେବା ପରେ ଦୁଇ ପୁଅ ଓ ବୋହୂ ଅନେକ ସମୟରେ ନିର୍ଯାତନା ଦେଉଥିଲେ । ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ । ଦି ଓଳି ଦି ମୁଠା ଖାଇବାକୁ ଦେବା ତ ଦୂରର କଥା, ରୋଗାକ୍ରାନ୍ତ ଅବସ୍ଥାରେ ଘରୁ ବିଦା କରିଦେଲେ ।" ତେବେ ଅସହାୟ ଅବସ୍ଥାରେ ଘର ଘର ବୁଲୁଥିବା ବେଳେ ଖବର ପାଇ ଏକ ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ଉଦ୍ଧାର କରିଛି ।