ଜଗତସିଂହପୁର:ପୁଣି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏତଲା ଦେଲେ ସୋମାଲିକା ଦାଶ । ଆଜି ସନ୍ଧ୍ୟାରେ ଜଗତସିଂହପୁର ଥାନା ଅଧିକାରୀଙ୍କୁ ଭେଟି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ନିକଟରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ କଟକ ସବ ରେଜିଷ୍ଟ୍ରର ଅଫିସରେ ଆବେଦନ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପୁଣି ଥରେ ଜଗତସିଂହପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ସୋମାଲିକା ।
ବିଜୟ ଶଙ୍କରଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କ ନାମରେ ଆଜି ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ଥାନାରେ ଆଉ ଏକ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, "ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ପୂର୍ବରୁ ତାଙ୍କସହ ବିଶ୍ବାସଘାତକତା କରିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏପରିକି ଏକାଧିକ ବାର ଗର୍ଭ ନଷ୍ଟ କରାଯାଇଛି ।"
ପୂର୍ବରୁ ବିଜୟ ଶଙ୍କରଙ୍କ ସହ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ ନିକଟରେ ଆବେଦନ କରିଥିଲେ ସୋମାଲିକା । ବିବାହ ପାଇଁ ନିର୍ଦ୍ଧାରିତ ଦିନରେ ବିଧାୟକ ବିଜୟ ଶଙ୍କର ନ ଆସିବାରୁ ସୋମାଲିକା ସେ ସମୟରେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଏତଲା କରାଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନ କରିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତା । କୋର୍ଟଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୀଡ଼ିତାକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଏପରିକି ଜଗତସିଂହପୁର ପୋଲିସ ସୋମାଲିକାଙ୍କର ମେଡ଼ିକାଲ ପରୀକ୍ଷା ମଧ୍ୟ କରାଇଥିଲା ।