ପାରାଦ୍ବୀପ: ଜମି ଅଧିଗ୍ରହଣ ସମୟରେ ବସ୍ତି ବାସିନ୍ଦାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରୁନି NRL (Numaligarh Refinery Limited) । ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ପାରାଦ୍ବୀପ ଉପକଣ୍ଠ ଷଣ୍ଢକୂଦ ବସ୍ତି ବାସିନ୍ଦା ।
ଜମି ଅଧିଗ୍ରହଣ ସମୟରେ ନିର୍ମାଣଧୀନ NRL (Numaligarh Refinery Limited) କମ୍ପାନୀ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କମ୍ପାନୀ ପାଳନ କରୁନଥିବା ଅଭିଯୋଗ ହୋଇଛି । ଷଣ୍ଡକୂଦ ବସ୍ତିର ଶତାଧିକ ପୁରୁଷ ଓ ମହିଳା ବିରାଟ ଶୋଭାଯାତ୍ରାରେ ବାହାରି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଗତ ୨ ବର୍ଷ ପୂର୍ବେ ଯେତେବେଳେ କମ୍ପାନୀ ଆସିଥିଲା ସେହି ସମୟରେ ବସ୍ତିରେ ଡ୍ରେନେଜ ବ୍ୟବସ୍ଥା, ବସ୍ତିରେ ରହୁଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି, ବସ୍ତି ମଧ୍ୟରୁ ବର୍ଷାଜଳ ନିଷ୍କାସନ ଓ ବସ୍ତି ଅଞ୍ଚଳର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କମ୍ପାନୀ ପାଳନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।