ଜଗତସିଂହପୁର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସାଧାରଣ ସଭା ହୋଇଥିଲା । ଗତ 23 ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଭୋଟ ପାଇ ଶାସନ ଗାଦିରେ ବସିଥିବା ବେଳେ ଚାଷୀମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ସଂଗଠନ ।
ନବ ନିର୍ମାଣ ସଂଗଠନର ଆବାହକ ରଶ୍ମି ରଞ୍ଜନ ସ୍ୱାଇଁ ଅଭିଯୋଗ କରିଛନ୍ତି,‘‘ ରାଜ୍ୟରେ ଚାଷୀମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି । ଚାଷୀ ଏବେ ଚାଷ ପାଇଁ ଅମଙ୍ଗ ହେଲାଣି । ସାର, କୀଟ ନାଶକ, ଦର ଆକାଶ ଛୁଆଁ । ରାଜ୍ୟରେ ନବୀନ ସରକାର ୨୩ ବର୍ଷ ଶାସନ କାଳରେ ଚାଷୀ ଆତ୍ମହତ୍ୟା ବଢିଛି । ସାଧାରଣ ଚାଷୀ ମୂଲିଆଙ୍କ ଭୋଟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେଇ ଚାଷୀଙ୍କୁ ସରକାର ହତାଦାର କରୁଛି । ବେକାରୀ ସମସ୍ୟା ଠାରୁ ଆରମ୍ଭ କରି ଚାଷୀ ଅତ୍ମହତ୍ୟା ବୃଦ୍ଧି ଘଟିଛି । ଯାହା ରାଜ୍ୟରେ ବିକାଶର ମେରୁଦଣ୍ଡକୁ ଭାଙ୍ଗିଦେଇଛି । କେବଳ ଏଠି ଭୋଟ ସମୟରେ ଲୋକ ପ୍ରତନିଧି ଆସି ଭୋଟ ହାତେଇବା ପାଇଁ ପୁଳାପୁଳା ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଠକୁଛନ୍ତି । ଭୋଟ ସରିଗଲା ପରେ କାର୍ଯ୍ୟ ଶୂନ । ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ତାଙ୍କ ପ୍ରତିନିଧିମାନେ ଲୋକଙ୍କୁ ପ୍ରତାରଣା କରୁଛନ୍ତି । ତେଣୁ ଏଭଳି ଅପାରଗ ମୁଖ୍ୟମନ୍ତ୍ରୀ ରାଜ୍ୟରେ ରହିବାର ଆବଶ୍ୟକତା ନାହିଁ । ଏଭଳି ସରକାରଙ୍କୁ ଚାଷୀ ମୂଲିଆମାନେ ଭୋଟ ଦେଇ ଯେଉଁ ଭୁଲ କରିଛନ୍ତି ତାହାର ପ୍ରାୟଶ୍ଚିତ ସ୍ୱରୂପ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ କରାଯାଉଛି ।’’