sarala temple development work delay ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଏବେ ବାଟବଣା । ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁଁ କାମ ଆଗେଇ ପାରୁନଥିବା ନେଇ ଅଭିଯୋଗ ହୋଇଛି । ମନ୍ଦିରର ଚତୁଃପାର୍ଶ୍ବକୁ ଭାଙ୍ଗି ଦିଆଯାଇ ଥିବାରୁ ଭଗ୍ନ ସ୍ତୁପରେ ପରିଣତ ହୋଇଛି ମାଆ ଶାରଳାଙ୍କ ମନ୍ଦିର । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟଓ୍ବାରୀ ପୂର୍ତ୍ତ ବିଭାଗକୁ 7 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, 2022 ମସିହା ଜୁନ2 ତାରିଖରେ ମାଆ ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ 42 କୋଟି ଟଙ୍କା ମଞ୍ଜୁର କରିଥିଲେ । ସେ ସମୟରେ ୫ଟି ସଚିବ ଭି କେ ପାଣ୍ଡିଆନ ମନ୍ଦିର ପରିଦର୍ଶନ କରିବା ସହ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ଦିର ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ବିସ୍ଥାପିତ ହେବାକୁ ଥିବା କେତେକ ସେବାୟତ ଓ ଦୋକାନୀ ମାନଙ୍କ ଜାଗା ମାପଚୁପ ସରିବା ପରେ ସେମାନଙ୍କୁ କ୍ଷତି ପୂରଣ ବାବଦରେ ପ୍ରଦାନ କରାଯାଇଥିଲା ।
ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ 100ରୁ ଅଧିକ ଦୋକାନ ଘର ଭଙ୍ଗାଯିବା ସହିତ ଗୋଟିଏ ଧର୍ମଶାଳା, ପୋଲିସ ଫାଣ୍ଡି ସମେତ ମଣ୍ଡରର ଦକ୍ଷିଣ ଦ୍ବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା । ଏପରିକି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ପ୍ରଶାସନ ଭାଙ୍ଗିଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର 42 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଏହାକୁ ଗୁଜୁରାଟର ଏକ ଠିକାସଂସ୍ଥାକୁ ଦିଆଯାଇଛି । କିନ୍ତୁ ସମ୍ପୃକ୍ତ ଠିକାସଂସ୍ଥା ମନ୍ଦିର ଚତୁଃପାର୍ଶ୍ବରେ ଟିଣ ଲଗାଇ ଚାଲି ଯାଇଛି । ଫଳରେ ପ୍ରତ୍ୟେକ ଦିନ ଭକ୍ତ ଶ୍ରଦ୍ଧାଳୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବର୍ଷ ବର୍ଷ ଧରି ଭଗ୍ନ ସ୍ତୁପ ଅବସ୍ଥାରେ ମନ୍ଦିର ଚତୁଃପାର୍ଶ୍ବ ପଡି ରହିଥିବା ଯୋଗୁ ସେବକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଛି । ଗତକାଲି ମନ୍ଦିରର କେତେକ ପୂଜକ ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇବା ସହ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳ ଜାଣିବା ପରେ ପୂର୍ତ୍ତ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେବକ ମାନେ ଅଭିଯୋଗ କରିଛନ୍ତି ଯେ ଗୁଜୁରାଟର ଏହି ଠିକାସଂସ୍ଥା କାର୍ଯ୍ୟ କରିବାରେ ଚରମ ଅବହେଳା ପ୍ରଦର୍ଶନ କରୁଛି । ସମ୍ପୃକ୍ତ ଠିକାସଂସ୍ଥା ବର୍ଷ ବର୍ଷ ଧରି କାମକୁ ପକାଇ ରଖିଥିବା ବେଳେ ଭଙ୍ଗା ଯାଇଥିବା ଆବର୍ଜନାକୁ ମଧ୍ୟ ଉଠାଇ ନାହିଁ । ଫଳରେ ସାଧାରଣ ଭକ୍ତଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ମାନଙ୍କ ମନରେ ଅସନ୍ତୋଷ ଜାତ ହେଉଛି । ଏକ ଆଧ୍ୟାତ୍ମିକ ପୀଠ ର ବାତାବରଣ ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଯଦି 7ଦିନ ଭିତରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ନ ହୁଏ ତେବେ ସେବକ ମାନେ ଏହାର ପ୍ରତିବାଦ କରିବେ ବୋଲି କହିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର