ଜଗତସିଂହପୁର : ଆଜି ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୁରୁଷୋତ୍ତମ ଧାମ ପୁରୀକୁ ଐତିହ୍ୟ ନଗରୀ ରେ ରୂପାନ୍ତର କରିବାକୁ ହୋଇଛି ପ୍ରୟାସ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ସକାଳୁ ପ୍ରଥମେ ସୂର୍ଯ୍ୟପୂଜା, ମହାଯଜ୍ଞ, ବେଦ ପାରାୟଣ ପରେ ପ୍ରକଳ୍ପର ଲୋକାର୍ପଣ ହୋଇଛି । ଏହି ଭବ୍ୟ ଅବସରର ସାକ୍ଷୀ ପାଲଟିଛନ୍ତି ନିମନ୍ତ୍ରିତ ଶତାଧିକ ଅତିଥିଗଣ ।
ଏହି କ୍ରମ ରେ ଆଜି ସାରା ରାଜ୍ୟ ଜଗନ୍ନାଥମୟ ପାଲଟିଥିବା ବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ 8ଟି ବ୍ଲକ ଓ ଦୁଇଟି ପୌରଞ୍ଚଳ ଆଜି ଉତ୍ସଵ ମୁଖର ହୋଇ ଉଠିଛି । ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜାଙ୍କ ଦ୍ବାରା ଲୋକାର୍ପଣ ହେବାପରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂକୀର୍ତନ କରାଯିବା ସହ ଗାଁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସଵ ବଡ଼ ପରଦା ମାଧ୍ୟମରେ ଲୋକେ ସିଧାସଳଖ ଦେଖିଥିଲେ । ଗତକାଲି ଠାରୁ ମହିଳା ମାନେ ଗାଁ ରେ ଝୋଟି ଚିତା ପକାଇବା ସହିତ ଅଖଣ୍ଡ ଦୀପ ପ୍ରଜ୍ବଳିତ କରିଥିଲେ । ଆଜି ଗାଁ ଗାଁ ରେ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିବା ସହିତ ଗାଁ ମନ୍ଦିରକୁ ଆସିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଗାଁ ମନ୍ଦିରରେ ମହିଳାମାନେ ଏକାଠି ହୋଇ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସଵକୁ ଦେଖିବା ସହିତ ଜୟ ଜଗନ୍ନାଥ ଧୂନି ଦେଇଥିଲେ ।