ପାରାଦ୍ଵୀପ:ପାରାଦ୍ଵୀପ ରେଲୱେ ଠିକା ସଂସ୍ଥାର ମନମାନି । ଯାହାକୁ ନେଇ ରେଲୱେ ରନିଙ୍ଗ ରୁମ୍ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା । ୧୭ ବର୍ଷ ହେଲା କାମ କରୁଥିବା କର୍ମଚାରୀଙ୍କୁ ମନଇଚ୍ଛା ଛଟେଇ, ଦରମା ଦେବାରେ ଅନିୟମିତତା, ସଠିକ୍ ସମୟରେ ଇପିଏଫ୍, ଇଏସଆଇ ନଭରିବା ପ୍ରଭୃତି ୭ ଦଫା ଦାବି ନେଇ ଧାରଣାରେ ବସିଛନ୍ତି କର୍ମଚାରୀ ।
7 ଦଫା ଦାବି ନେଇ ପାରାଦ୍ୱୀପରେ ରେଲୱେ କର୍ମଚାରୀଙ୍କ ଧାରଣା
ଠିକା ସଂସ୍ଥାର ମନମାନିରେ ଅସନ୍ତୁଷ୍ଟ ହୋଇପଡିଛନ୍ତି ରେଲୱେ ରନିଙ୍ଗ ରୁମ କର୍ମଚାରୀ । ଏନେଇ ପାରାଦୀପ ରେଲୱେ ରନିଙ୍ଗ ରୁମର କାର୍ଯ୍ୟ ବନ୍ଦ ରଖିବା ସହ ରନିଙ୍ଗ ରୁମ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ଦୀର୍ଘ 17 ବର୍ଷ ଧରି ରେଲୱେ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନେ ଏବେ ୧୪ମାସ ହେବ ନୂତନ ସଂସ୍ଥା ତୁଳସୀ ଏଣ୍ଟର ପ୍ରାଇଜେସ୍ ଅଧୀନରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ କାର୍ଯ୍ୟ କରୁଥିବା ସଂସ୍ଥା ଶ୍ରମିକ ମାନଙ୍କୁ ଯଥା ସମୟରେ ଦରମା ପ୍ରଦାନ କରିବା ସହିତ ଇପିଏଫ୍, ଇଏସଆଇ, ଭରିବା ଓ କର୍ମଚାରୀ ମାନଙ୍କୁ ସମସ୍ତ ସୁବିଧା ପାଉଥିଲେ । ହେଲେ ନୂତନ ସଂସ୍ଥା ତୁଳସୀ ଏଣ୍ଟରପ୍ରାଇଜେସ ୧୪ମାସ ହେବ ଦାୟିତ୍ୱ ନେବାପରେ କର୍ମଚାରୀ ମାନଙ୍କୁ ଠିକ ସମୟରେ ଦରମା ପ୍ରଦାନରେ ଅବହେଳା କରିବା, ଶ୍ରମିକ ମାନଙ୍କ ଇଏସଆଇ, ଇପିଏଫ ଭରଣା ନକରିବା ଏବଂ ବିନା କାରଣରେ 7 ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏମାନେ ଦୀର୍ଘ ୧୬ ବର୍ଷ ହେଲାଣି ଏଠାରେ କାମ କରୁଛନ୍ତି । ହେଲେ ଆଜି ବି ଏମାନଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ଦରମା ନମିଳିବାରୁ ଭୋକ ଉପବାସରେ ଦିନ କାଟୁଛନ୍ତି କର୍ମଚାରୀ । ଆଜିକୁ ୪ମାସ ହେବ କୌଣସି କାମରେ ଏମାନଙ୍କୁ ସାମିଲ କରାଯାଉନି କି ଦରମା ବି ଦିଆଯାଉନି । ଯାହାଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହାସହିତ ପାରାଦୀପ ରେଲୱେ ରନିଙ୍ଗ ରୁମ ସମ୍ମୁଖରେ 50ରୁ ଊର୍ଦ୍ଧ୍ବ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି l ଯେ ପର୍ଯ୍ୟନ୍ତ ଛଟେଇ ହୋଇଥିବା 7ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ କରାଯାଇନାହିଁ, ପୂର୍ବରୁ ରନିଙ୍ଗ ରୁମରେ କାର୍ଯ୍ୟ କର୍ମଚାରୀ ମାନଙ୍କ ସହବନ୍ଧିତ ଶ୍ରମିକ ସଂଗଠନ ସହିତ ହୋଇଥିବା ଚୁକ୍ତିକୁ ଠିକା ସଂସ୍ଥା କାର୍ଯ୍ୟକାରୀ ନକରିଛି ସେ ପର୍ଯ୍ୟନ୍ତ କର୍ମଚାରୀ ମାନେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l
ଇଟିଭି ଭାରତ, ଜଗତସିଂହପୁର