ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ନିର୍ମାଣ ହେବ ନାନୋ ୟୁରିଆ ସାର କାରଖାନା । ଏ ନେଇ ଜନଶୁଣାଣି ଶେଷ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ପ୍ରସ୍ତାବିତ ସାର କାରଖାନାକୁ ନୂଆଗଡ଼ ଗ୍ରାମବାସୀ ବିରୋଧ କରିଛନ୍ତି । ସେପଟେ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଜନଶୁଣାଣୀରେ ସ୍ଥାନିୟ ବାସିନ୍ଦାଙ୍କ ସମର୍ଥନ ରହିଛି ।
ତେବେ ଏହି ପ୍ରକଳ୍ପକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ପ୍ରସ୍ତାବିତ ଅଞ୍ଚଳ ନୂଆଗଡ଼ର ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ପରିବେଶ ସଂକ୍ରାନ୍ତୀୟ ନିୟମକୁ କମ୍ପାନି କତ୍ତୃପକ୍ଷ ମାନୁ ନାହାନ୍ତି । ନୂଆଗଡ଼ ବାସିନ୍ଦା ପ୍ରତାପ ସାମଲ ଏନେଇ ଫୋନରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ସାରା କାରଖାନା ଯୋଗୁଁ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ହେଉଛି । ବିଷାକ୍ତ ରାସାୟନିକ ପ୍ରକ୍ରିୟା ଦ୍ବାରା ମାଛ ମରିଯିବା ସହ ଜୈବ ବିଭିଦତା ନଷ୍ଟ ହେଉଛି । ଇଫକୋର ନାନୋ ତରଳ ୟୁରିଆ କାରଖାନା ପ୍ରକଳ୍ପ ନୂଆଗଡ଼ ପଞ୍ଚାୟତରେ ହେବାକୁ ଥିବାବେଳେ ଗ୍ରାମବାସୀମାନଙ୍କ ପକ୍ଷରୁ କମ୍ପାନିଙ୍କୁ ବିରୋଧ କରାଯିବାର ଆଗୁଆ ସୂଚନା ପାଇ କମ୍ପାନି କର୍ତ୍ତୃପକ୍ଷ କେତେକ ଠିକାଦାରଙ୍କୁ ନେଇ କରାଯାଇଥିବା ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମବାସୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ନୂଆଗଡ଼ରେ ଜନଶୁଣାଣି କରାଗଲା ନାହିଁ । ପାରାଦ୍ବୀପରେ ଜନଶୁଣାଣୀ କରାଗଲା ।" ସେପଟେ ଇଫକୋର ବରିଷ୍ଠ ପ୍ରବନ୍ଧକ ବିଜୟ କୁମାର ପରିଡ଼ା କହିଛନ୍ତି, "ଜନଶୁଣାଣୀରେ ସ୍ଥାନିୟ ଗ୍ରାମବାସୀ ଓ ପରିବେଶବିତଙ୍କ ଭରପୁର ସମର୍ଥନ ମିଳିଛି । ଲୋକେ ଉତ୍ସାହିତ ଅଛନ୍ତି । ଏହି ସାର କାରଖାନା ପ୍ରତିଷ୍ଠା ହେବା ଦ୍ବାରା କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ହେବ ।" ଏହି ଜନ ଶୁଣାଣୀରେ ପାରାଦ୍ବୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ, ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଯନ୍ତ୍ରୀ ବିବେଚିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ମିଳିଥିବା ସୂଚନାନୁଯାୟୀ, ପାରାଦ୍ବୀପ ଉପକଣ୍ଠ ନୂଆଗଡ଼ ଗ୍ରାମରେ ପାଖାପାଖି 10 ଏକର ଜମିରେ 225 କୋଟି ଟଙ୍କା ବ୍ୟୟରେ ଏହି ସାର କାରଖାନା ନିର୍ମାଣ ହେବ । ଏହି କାରଖାନାରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ୨ଶହ ଜଣଙ୍କୁ ନିଯୁକ୍ତି ମିଳିବ । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ କାରଖାନାରୁ ଉତ୍ପାଦନ ଆରମ୍ଭ ହେବ । ଏହି କାରଖାନାରୁ ବାର୍ଷିକ 33 ହଜାର କୁଇଣ୍ଟାଲ ନାନୋ ଡିଏପି ଉତ୍ପାଦନ କ୍ଷମତା ରହିବ ବୋଲି ଇଫକୋ ପକ୍ଷରୁ ସୂଚନା ମିଳିଛି । ସାର ବଦଳରେ ତରଳ ନାନୋ ଉତ୍ପାଦନ ହେଲେ ଏହା ଛିଞ୍ଚନ କରିବା ଦ୍ଵାରା ଚାଷୀଙ୍କ ଖର୍ଚ୍ଚ କମ ହେବ ବୋଲି ଇଫକୋ ପକ୍ଷରୁ କୁହାଯାଇଛି ।