ଓଡିଶା

odisha

ETV Bharat / state

ପାରାଦ୍ବୀପରେ ଜମିବ କଳିଙ୍ଗ ବାଲିଯାତ୍ରା, ଏଥର 8 ଦିନ ମହୋତ୍ସବ ବୁଲିବେ ଲୋକେ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ବିଜୁ ମୈଦାନରେ ନଭେମ୍ବର ୨୭ରୁ ୮ ଦିନ ବ୍ୟାପି ଚାଲିବ କଳିଙ୍ଗ ବାଲିଯାତ୍ରା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Oct 2, 2023, 8:18 AM IST

Updated : Oct 2, 2023, 8:42 AM IST

preparatory meeting
preparatory meeting

preparatory meeting

ପାରାଦ୍ବୀପ:ପାଖେଇ ଆସୁଛି ବାଲିଯତ୍ରା । ବନ୍ଦର ନଗରୀ ପାରାଦ୍ବୀପ ସମୁଦ୍ରକୂଳରେ ଜମିବ ଯାତ୍ରା । ଲାଗିବ ଗହଳି ଖୋଲିବ ଭଳି କି ଭଳି ଦୋକାନ । ଯାହାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପଠାରେ ଥିବା ବିଜୁ ମୈଦାନରେ ଚଳିତ ବର୍ଷ ନଭେମ୍ବର ୨୭ରୁ ୮ ଦିନ ବ୍ୟାପି ଚାଲିବ କଳିଙ୍ଗ ବାଲିଯାତ୍ରା । ପ୍ରତ୍ୟେକ ବର୍ଷ କଳିଙ୍ଗ ବାଲିଯାତ୍ରା ୭ ଦିନ ଧରି ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଆଉ ଏକ ଦିନକୁ ବଢ଼ାଇ ଦିଆ ଯାଇଛି ।

ତେବେ ଚଳିତ ବର୍ଷ ୮ ଦିନ ଧରି ଚାଲିବ ବାଲିଯାତ୍ରା । ଏଥିସହ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳାକାର ମାନଙ୍କୁ ନିମନ୍ତ୍ରିତ କରାଯିବ। ଓଡ଼ିଶାର ଲୋକକଳାକୁ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । କଳା ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନେଇ ପାରାଦ୍ୱୀପ ବିଜୁ ମୈଦାନରେ ଆୟୋଜିତ ହୋଇ ଆସୁଥିବା କଳିଙ୍ଗ ବାଲିଯାତ୍ରା ଓଡ଼ିଶାରେ ଅନ୍ୟତମ । ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଆସିଥାନ୍ତି । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଚଳିତ ବର୍ଷ ୭ ଦିନରୁ ୮ ଦିନକୁ ବଢ଼ିବାକୁ ପ୍ରସ୍ତାବ ଆସିଥିଲା । ତେବେ ସର୍ବ ସମ୍ମତି କ୍ରମେ ତାହା ଗୃହିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ, ମନ ମୋହୁଛି 400ରୁ ଅଧିକ ଷ୍ଟଲ

ଏନେଇ ଜିଲ୍ଲାପାଳ ପାରୁଲ ପଟୱାରୀ କହିଛନ୍ତି ଯେ, "କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗତବର୍ଷ ବାଲିଯାତ୍ରା ଶୃଙ୍ଖଳିତ ଭାବରେ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଶୃଙ୍ଖଳିତ ଭାବରେ ବାଲିଯାତ୍ରା ଆୟୋଜନ ପାଇଁ ଏହି ପ୍ରସ୍ତୁତି ବୈଠକ ହୋଇଛି ।" ସେପଟେ କଳିଙ୍ଗ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ଲଗ୍ନଜିତ୍‌ ରାଉତ କହିଛନ୍ତି ଯେ, ବାଲିଯାତ୍ରାକୁ କିଭଳି ଆହୁରି ଉନ୍ନତ କରାଯାଇ ପାରିବ ତାହାକୁ ନେଇ ଆଲୋଚନା ହୋଇଛି । ଏହି ବୈଠକରେ ପାରାଦ୍ୱୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ବାଲିଯାତ୍ରା ପୂର୍ବରୁ ଅଠର ବାଙ୍କୀ ଦୋଛକି ରାସ୍ତା ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Oct 2, 2023, 8:42 AM IST

ABOUT THE AUTHOR

...view details