ଜଗତସିଂହପୁର : ଜିଲ୍ଲାରେ ଆରମ୍ଭ ହୋଇଛି ଜିଲ୍ଲା ମହୋତ୍ସବ 'କଲ୍ଲୋଳ' 2023 । ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ଗୃହିଣୀମାନଙ୍କ ଦ୍ବାରା ପିଠା ପ୍ରଦର୍ଶନୀ କରାଯାଇଥିଲା । ଯାହା ଏହି ଜିଲ୍ଲା ମହୋତ୍ସବର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଏହି ପିଠା ପ୍ରଦର୍ଶନୀ କାର୍ଯ୍ୟକ୍ରମ । ଏହାକୁ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ପାରୁଲ୍ ପଟ୍ଟୁଆରୀ ଯୋଗଦେଇ ଗୃହିଣୀମାନଙ୍କ ଦ୍ଵାରା କରାଯାଇଥିବା ପିଠା ଷ୍ଟଲ ବୁଲି ଦେଖିଥିଲେ ।
ଜିଲ୍ଲାର ୮ଟି ବ୍ଲକ ଓ ଦୁଇଟି ମୁନସିପାଲିଟି ଥିବା ବେଳେ ପ୍ରତ୍ୟେକ ବ୍ଲକରୁ ୫ଜଣ ଗୃହିଣୀ ଏହି ପିଠା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଏହିପରି ୫୦ଜଣ ମହିଳା ପିଠା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ପାରୁଲ ପଟ୍ଟୁଆରୀ ଗୃହିଣୀମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପିଠାଗୁଡିକର ସ୍ବାଦ ଚାଖିଥିଲେ । ତେବେ ଏହି ପିଠା ପ୍ରଦର୍ଶନିରେ ଚକୁଳି, ଏଣ୍ଡୁରି, ଆରିସା,ମଣ୍ଡା, ପୋଡପିଠା, ଚିତଉ, ଗଇଁଠା ଆଦି ୧୭ପ୍ରକାରର ପିଠା ସ୍ଥାନ ପାଇଥିଲା । ତେବେ କଲ୍ଲୋଳ ମହୋତ୍ସବରେ ପିଠା ପ୍ରଦର୍ଶନୀକୁ ଜନସାଧାରଣ ବେଶ୍ ଉପଭୋଗ କରିଥିଲେ । ଏଥିରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପିଠା ପ୍ରଦର୍ଶନୀ ସହିତ ଝୋଟି, ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।