ଜଗତସିଂହପୁର: ଓଡ଼ିଶାର ସ୍ବାଧୀନତା ସଂଗ୍ରାମରେ ଜଗତସିଂହପୁର ଜିଲ୍ଲାର ଅବଦାନ ଅତୁଳନୀୟ । ସଂଗ୍ରାମୀମାନଙ୍କର ତ୍ୟାଗ, ବଳିଦାନ ଓ ଉତ୍ସର୍ଗୀକୃତ ଦେଶପ୍ରେମ ଇତିହାସକୁ ରୁଦ୍ଧିମନ୍ତ କରିଛି । ଜଗତସିଂହପୁରରେ ଥିବା ଅଳକାଶ୍ରମକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ । ସେ ଭାରତଛାଡ଼ ଆନ୍ଦୋଳନ ହେଉ କି ଲବଣ ସତ୍ୟାଗ୍ରହ, ଗୋରାଙ୍କୁ ଥରହର କରି ଦେଉଥିଲେ ଏଠିକାର ସଂଗ୍ରାମୀ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବାକୁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇ ନଥିଲେ ଏମାନେ । ରାତି ରାତି ଅନିଦ୍ରା ରହି ବ୍ରିଟିଶ ଦମନର ରଣନୀତି ତିଆରି କରୁଥିଲେ । ଆଉ ଏହାର ମୂକସାକ୍ଷୀ ହେଉଛି ଏହି ଅଳକାଶ୍ରମ । ୧୯୨୨ ମସିହା ଶ୍ରୀପଞ୍ଚମୀ ତିଥିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ଅଳକାଶ୍ରମ ଉଦଘାଟିତ ହୋଇଥିଲା ।
ତେବେ ଆଶ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସଂଗ୍ରାମୀ ସୃଷ୍ଟି କରିବା । ଆତ୍ମ ନିର୍ଭରଶୀଳ ପାଇଁ ସାଧାରଣ ଶିକ୍ଷାଦାନ ସହିତ ଅରଟରେ ଲୁଗାବୁଣା ଆଦି ଶିକ୍ଷା ଦିଆଯାଉଥିଲା । ଚାଳ ଛପରରେ ନିର୍ମିତ ଏହି ଆଶ୍ରମ ଶକ୍ତିଶାଳୀ ବିପ୍ଲବୀଙ୍କ କେନ୍ଦ୍ରସ୍ଥଳ ଥିଲା । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ମାଳତୀ ଦେବୀ ଓ ଜାତୀୟ କବି ବୀରକିଶୋରଙ୍କ ନେତୃତ୍ୱରେ ହଜାରହଜାର ସଂଗ୍ରାମୀ ଦେଶ ପ୍ରେମରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଏହାସହ ବ୍ରିଟିଶ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଥିଲେ । ଏପରିକି ଏରସମା ଥାନାକୁ ପୋଡି ଇଂରେଜ ଶାସକଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଥିଲେ । ସେହିପରି ସାରଳାଦେବୀଙ୍କ ନେତୃତ୍ୱରେ କୁଜଙ୍ଗ ରାଣୀଙ୍କ ପ୍ରୋତ୍ସାହନରେ କୁଜଙ୍ଗଠାରେ ଏକ ମହିଳା ସମାବେଶ ହୋଇଥିଲା । ସେ ସମୟରେ 10 ହଜାର ମହିଳା ସେହି ସମାବେଶରେ ଯୋଗ ଦେଇଥିଲେ । ଯାହା ଗୋରା ସରକାରଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
୧୯୩୬ ମସିହାର ପରାଧୀନ ଭାରତ ବର୍ଷର ମୁକ୍ତି ପାଇଁ ଏହି ଅଳକାଶ୍ରମରୁ ତତ୍କାଳୀନ କଂଗ୍ରେସ ସଭାପତି ପଣ୍ଡିତ ଜବାହରଲାଲ ନେହେରୁ ପ୍ରଚାର ଆରମ୍ଭ କରିଥିଲେ। ସେହିପରି ୧୯୪୨ ମସିହାରେ ଇଂରାଜୀ ମାନଙ୍କ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଏହି ଅଳକାଶ୍ରମରୁ ହିଁ ଆରମ୍ଭ ହୋଇଥିଲା । ସେ ସମୟରେ ଜୟ ପ୍ରକାଶ ନାରାୟଣ ଏହିଠାରୁ ପ୍ରଚାର ଆରମ୍ଭ କରିଥିଲେ । ଓଡ଼ିଶାରେ ଭୁଦାନ ଆନ୍ଦୋଳନର ସୂତ୍ରପାତ ଏହି ଅଳକାଶ୍ରମରୁ ହିଁ ଆରମ୍ଭ ହୋଇଥିଲା । ବରିଷ୍ଠ ସଂଗ୍ରାମୀ ରାମ ମନୋହର ଲୋହିଆ, ସୁରେନ୍ଦ୍ର ନାଥ ଦିବେଦୀ, ଡକ୍ତର ହରେକୃଷ୍ଣ ମହତାବ ମଧ୍ୟ ଏହି ଅଳକାଶ୍ରମରୁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ ।