ଜଗତସିଂହପୁର:ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ସାରା ଦେଶରେ ଏକ ନୂତନ ରେକର୍ଡ କରିଛି । ଚଳିତ ଆର୍ଥିକ ବର୍ଷର ୧୨୯ ଦିନରେ ପାରାଦ୍ୱୀପ ବନ୍ଦର ୫୦ ମେଟ୍ରିକ ମିଲିୟନ ଟନ (M.M.T) ପଣ୍ୟ କାରବାର କରି ଦେଶର ଅନ୍ୟ ସମସ୍ତ ବନ୍ଦରକୁ ପଛରେ ପକାଇଛି । ଏହାକୁ ନେଇ ବନ୍ଦର ଅଧ୍ୟକ୍ଷ ଏକ ପ୍ରେସ ବାର୍ତ୍ତାରେ ଜଣାଇବା ସହିତ ଏହି ସଫଳତା ପାଇଁ ସେ ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବନ୍ଦର ଅଧ୍ୟକ୍ଷ କହିଛନ୍ତି, "ସାରା ଦେଶରେ ଏକ ନୂତନ ରେକର୍ଡ କରିଛି ପାରାଦ୍ବୀପ ବନ୍ଦର । କେନ୍ଦ୍ର ସରକାର ପାରାଦ୍ୱୀପ ବନ୍ଦରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଫଳରେ ପାରାଦ୍ୱୀପ ବନ୍ଦର ଦିନକୁ ଦିନ ସଫଳତାର ପାହାଚ ଚଢିଚଢି ଯାଉଛି । ଆଗାମୀ ଦିନରେ ପଣ୍ୟ କାରବାର କ୍ଷେତ୍ରରେ ସମଗ୍ର ବିଶ୍ୱରେ ପାରାଦ୍ୱୀପ ବନ୍ଦର 1 ନମ୍ବର ବନ୍ଦର ଭାବେ ପରିଗଣିତ ହେବ ।" ତେବେ ଅଗଷ୍ଟ ମାସ ୮ ତାରିଖ ସୁଦ୍ଧା ପାରାଦ୍ୱୀପ ବନ୍ଦର ୫୦ ମେଟ୍ରିକ ମିଲିୟନ ଟନ୍ ପଣ୍ୟ କାରବାର କରିଥିବା ନେଇ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।
ଗତବର୍ଷର ଅବଧିଠାରୁ ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଅଧିକ ରହିଛି । ଗତବର୍ଷ ପାରାଦ୍ୱୀପ ବନ୍ଦରକୁ ମୋଟ ୮ଶହ ୧୨ ଟି ଜାହଜ ଚଳାଚଳ କରିଥିବାବେଳେ ଚଳିତ ଥର ପାରାଦ୍ୱୀପ ବନ୍ଦରକୁ ବିଦେଶରୁ ୯୧୨ଟି ଜାହଜ ଚଳାଚଳ କରିଛି । ଯାହାକି ଏକ ମାଇଲ ଖୁଣ୍ଟ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି । ତେବେ ବନ୍ଦର ଅଧିକାରୀ, କର୍ମଚାରୀ ଓ ଶିଳ୍ପ ସଂସ୍ଥାର ନିରବଚ୍ଛିନ୍ନ କାର୍ଯ୍ୟ ଯୋଗୁଁ ଏହି ସଫଳତା ମିଳିଥିବା ନେଇ ବନ୍ଦର ପକ୍ଷରୁ କୁହାଯାଇଛି ।