ପାରାଦ୍ବୀପ:ପାରାଦ୍ୱୀପ ବନ୍ଦର ମଧ୍ୟରେ କାର୍ଯ୍ୟରତ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ସଂଘ ପକ୍ଷରୁ ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବିକୁ ନେଇ ଦୀର୍ଘ ପାଞ୍ଚ ଦିନ ପାରାଦ୍ୱୀପ ବନ୍ଦର ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବାପରେ ମଙ୍ଗଳବାର ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଦୀର୍ଘ ୫ଦିନ ହେବ ଶ୍ରମିକ ମାନେ ଧାରଣାରେ ବସିବା ଯୋଗୁଁ ପାରାଦ୍ୱୀପ ପୋର୍ଟରେ ୱାଗନ ସଫା ଠାରୁ ଆରମ୍ଭ କରି ପ୍ଲଟ ଓ ଗୋଦାମ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ମଙ୍ଗଳବାର ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
ପାରାଦ୍ୱୀପ ପୋର୍ଟରେ କାର୍ଯ୍ୟରତ ପୋର୍ଟ ଆଣ୍ଡ ଡକ ମଜଦୂର ସଂଘ ଅଭିଯୋଗ କରିଛି ଯେ ବିଗତ ୩୦ ବର୍ଷ ଧରି ଏହି ଶ୍ରମିକ ମାନେ ପାରାଦ୍ୱୀପ ପୋର୍ଟରେ କାର୍ଯ୍ୟ କରି ଆସୁଥିବା ବେଳେ ସେମାନଙ୍କୁ ପାରାଦ୍ୱୀପ ପୋର୍ଟ ଷ୍ଟିଭେଡ଼ର୍ଶ ଆସୋସିଏସନ ବହୁତ କମ ଦରମା ଦେବା ସହ କୌଣସି ଛୁଟି ପ୍ରଦାନ କରାଯାଉ ନଥିବା ବେଳେ ଏହି ଶ୍ରମିକ ମାନଙ୍କୁ ମଧ୍ୟ ପୋର୍ଟ ପକ୍ଷରୁ ରହିବା ପାଇଁ ବାସଗୃହ ଯୋଗାଇ ଦିଆଯାଉନଥିଲା ଫଳରେ ଏହି ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।