ପାରାଦ୍ବୀପ:କଂଗ୍ରେସର ଦଳୀୟ କନ୍ଦଳ ପରି ବିଜେଡିରେ ମଧ୍ୟ ଅନ୍ତଃକନ୍ଦଳ ରହିଛି । ଏ କଳି ଉପରକୁ ଏତେ ହାଇଲାଇଟ ହୋଇନଥିଲେ ସୁଦ୍ଧା ଭିତରେ ଭିତରେ କୁହୁଳୁଛି । ବିଧାୟକ ସମ୍ବିତ ରାଉତରାୟଙ୍କ ଗଡ ପାରାଦ୍ବୀପ ଉପରେ ବିଜେଡି ବରିଷ୍ଠ ନେତା ଦେବାଶିଷ ରାଉତରାୟଙ୍କ ନଜର ରହିଛି । ପୂର୍ବତନ ବିଧାୟକ ତଥା ବିଜେଡି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ପାରାଦ୍ବୀପରେ କର୍ମୀ ସମ୍ମିଳନୀ କରି ନିଜର ଶକ୍ତି ପଦର୍ଶନ କରିଛନ୍ତି । ସିଧାସଳଖ ନ କହିଲେ ମଧ୍ୟ ପରୋକ୍ଷ ଭାବେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟଙ୍କୁ ଇଙ୍ଗିତ କରିଛନ୍ତି ଦେବାଶିଷ । ଏନେଇ ଜଗତସିଂହପୁର ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିରେ ହଟଚମଟ ସୃଷ୍ଟି ହୋଇଛି ।
ପରୋକ୍ଷ ଭାବେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟଙ୍କୁ ଇଙ୍ଗିତ କରି ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ବିଜୁବାବୁ ଓଡ଼ିଶାର ବିକାଶ ପାଇଁ ପାରାଦ୍ବୀପ ବନ୍ଦରର ପରିକଳ୍ପନା କରିଥିଲେ । ପାରାଦ୍ବୀପରେ ବନ୍ଦର କରିବାରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ପାରାଦ୍ବୀପ ଓ ରାଜ୍ୟର ବିକାଶ କିନ୍ତୁ ତାହା ଠିକ ଭାବେ ହେଉଛି କି ? ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେଲା ସତ କିନ୍ତୁ ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାହା ସଫଳ ହେଲାନାହିଁ । ସେହିପରି ପାରାଦ୍ବୀପରେ ଦୃଢ ନେତୃତ୍ବର ଆବଶ୍ୟକତା ରହିଛି ।''
ସେ ଆହୁରି କହିଛନ୍ତି, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ସ୍ଥାନୀୟ ଅଞ୍ଚଳର ବିକାଶ ବାଧାପ୍ରାପ୍ତ ହେଉଛି । ଆପଣ ମାନେ ଚାହିଁଲେ ପାରାଦ୍ବୀପରେ ନୂଆ ନେତା ନେତୃତ୍ବ ନେବେ । ଏଠାରେ ନେତା ଥପା ଯାଏନି । ଆଗାମୀ ଦିନରେ ଯଦି ଆପଣ ମାନେ ଚାହାନ୍ତି ତେବେ ନେତୃତ୍ବ ନେବାରେ କିଛି ଅସୁବିଧା ନାହିଁ ।'' ଦେବାଶିଷଙ୍କ ଏହି ମନ୍ତବ୍ୟକୁ ନେଇ ପାରାଦ୍ବୀପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।