ଓଡିଶା

odisha

ETV Bharat / state

ମହିଳାଙ୍କୁ ପାରାଦ୍ବୀପ ବିଧାୟକଙ୍କ ତାତ୍ସଲ୍ୟ ! ଭିଡ଼ିଓ ଭାଇରାଲ ପରେ ଏପରି ପ୍ରତିକ୍ରିୟା ରଖିଲେ ସମ୍ବିତ - ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ

ମହିଳାଙ୍କୁ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ତାତ୍ସଲ୍ୟକୁ ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ଅଧିକ ପଢ଼ନ୍ତୁ

video viral of paradeep MLA
ପାରାଦ୍ୱୀପ ବିଧାୟକଙ୍କ ଭାଇରାଲ ଭିଡ଼ିଓ

By ETV Bharat Odisha Team

Published : Sep 3, 2023, 7:25 PM IST

Updated : Sep 3, 2023, 8:14 PM IST

ପାରାଦ୍ୱୀପ ବିଧାୟକଙ୍କ ଭାଇରାଲ ଭିଡ଼ିଓ

ଜଗତସିଂହପୁର:ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଜଣେ ମହିଳାଙ୍କୁ ତାତ୍ସଲ୍ୟ କରିବା ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକ ଜଣେ ମହିଳାଙ୍କୁ ଗାଳି ଦେଉଥିବାର ଭିଡିଓରେ ଦେଖିବାକୁ ମିଳୁଛି । ଭିଡ଼ିଓଟି ଭାଇରାଲ ହେବା ପରେ ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଭିଡ଼ିଓ ସମ୍ପର୍କରେ ବିଧାୟକ ନିଜ ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଏହାକୁ ଯେଉଁଭଳି ଭାବରେ ଅତି ରଞ୍ଜିତ କରାଯାଉଛି, ସେହିଭଳି ଘଟଣା କିଛି ହୋଇନଥିବା ବିଧାୟକ କହିଛନ୍ତି ।

ସୂଚନା ଅନୁଯାୟୀ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ବ୍ଲକ ବାଗୋଇ ପଞ୍ଚାୟତର ବଟ ମହାପୁରୁଷ ମଠରେ ଏକ ବୈଠକ କରିଥିଲେ । ପୂର୍ବରୁ ଏହି ମଠଟି ଅବହେଳିତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ୫T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ସମୟରେ ମଠର ପୁନରୁଦ୍ଧାର ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପରେ ସରକାରଙ୍କ ତରଫରୁ ଏହି ମଠକୁ ୧୭ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଏହି ଅର୍ଥ ମଞ୍ଜୁର ହେବାପରେ ବିଧାୟକ ମଠରେ ପହଞ୍ଚି ସମୀକ୍ଷା କରିବା ସହିତ କାମକୁ ଦଳୀୟ ଲୋକ କରିବାକୁ ପ୍ରସ୍ତାବ ଦେଉଥିଲେ । ଏହି ସମୟରେ ଜଣେ ମହିଳା ଏହାକୁ ବିରୋଧ କରି ମଠ ଅବହେଳିତ ହୋଇ ପଡ଼ିଥିବା ସମୟରେ ତୁମେ କେଉଁଠି ଥିଲ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଧାୟକ ତାଙ୍କୁ ତାତ୍ସଲ୍ୟ କରିବା ସହିତ ମଠ ତୋର ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକାଟି ହୋଇଥିଲା । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ କୁଜଙ୍ଗ ବ୍ଲକ ଯୁବ ସଭାପତି ଅରୁ ପ୍ରସାଦ ମହାନ୍ତି ଏକ ବିବୃତ୍ତିରେ କହିଛନ୍ତି ଯେ, ବିଧାୟକଙ୍କ ନିଜସ୍ଵ ପାଣ୍ଠି ଓ ୫T ଯୋଜନାରେ ଆସିଥିବା ଅର୍ଥକୁ ସୁବିନିଯୋଗ ପାଇଁ ଏକ ବୈଠକରେ ବିଧାୟକ ଯୋଗ ଦେଇଥିଲେ । ଏହାକୁ କିଛି ଲୋକ ବିରୋଧ କରିବା ସହ ଯୁକ୍ତି କରିଥିଲେ । ଏହାର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ଭୁଲ ଦର୍ଶାଇ ପ୍ରସାରଣ କରାଯାଉଛି । ତାହା ଠିକ୍‌ ନୁହେଁ ବୋଲି କହିଛନ୍ତି ଅରୁ ପ୍ରସାଦ ମହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ; ଦୋଷ ଲଦାଲଦି ଭିତରେ ଜବାବ ରଖିଲେ ପ୍ରଶାନ୍ତ ମୁଦୁଲି

ଅନ୍ୟପଟେ ଏହି ଭାଇରାଲ ଭିଡ଼ିଓକୁ ନେଇ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଇଟିଭି ଭାରତକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "କୁଜଙ୍ଗ ବ୍ଲକ ବଗେଇ ଗ୍ରାମର ବଟ ମହାପୁରୁଷ ମଠ ପ୍ରାଙ୍ଗଣରେ ଏକ ବୈଠକ ହୋଇଥିଲା । ସେଠାରେ ଜଣେ ମହିଳା ଓ ସେହି ଗ୍ରାମର ଅନ୍ୟ ଜଣଙ୍କ ସହିତ କଥା କଟାକଟି ହୋଇଥିଲା । ଏଥିରେ ମୁଁ ସେମାନଙ୍କୁ ଚୁପ ହେବାକୁ କହିଥିଲି । ସେ ମହିଳା ମୋତେ କିଛି କହି ନାହାଁନ୍ତି, କି ମୁଁ ତାଙ୍କୁ କୌଣସି ପ୍ରକାର ମନ୍ତବ୍ୟ ଦେଇନାହିଁ । ସେ ମହିଳା ଜଣକ ଆମ ସମର୍ଥକ । ତେଣୁ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।" କିଛି ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଏହାକୁ ଅତି ରଞ୍ଜିତ କରାଯାଉଛି । ତାହା ଠିକ ନୁହେଁ ବୋଲି ପାରାଦ୍ୱୀପ ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 3, 2023, 8:14 PM IST

ABOUT THE AUTHOR

...view details