ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇଓ୍ବା ଓ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଏନେଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକ ଜଣଙ୍କ କୁଜଙ୍ଗ ଥାନା ବାଗୋଇ ଗ୍ରାମର ସୁବାସ ସ୍ବାଇଁ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ , ଆଜି ହାଇଓ୍ବା ଗାଡିଟି ପାରାଦ୍ବୀପରୁ ତିର୍ତୋଲ ଯାଉଥିବା ସମୟରେ କୁଜଙ୍ଗ ଷଣ୍ଢପୁର ଛକ ନିକଟରେ ଗୋଟିଏ ମୋଟର ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ସୁବାସ ସ୍ବାଇଁ ଓ ସାଥିରେ ଥିବା ଅନ୍ୟ ଜଣେ ବନ୍ଧୁ ଗୁରୁତର ହୋଇଥିବାରୁ ସେମାନଙ୍କୁ କୁଜଙ୍ଗ ମେଡ଼ିକାଲକୁ ଅଣା ଯାଇଥିଲା। ହେଲେ ସେଠାରେ ଡାକ୍ତର ବାଇକ ଆରୋହୀ ସୁବାସ ସ୍ବାଇଁଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆମ୍ବୁଲାନ୍ସ ଆସିବା ବିଳମ୍ବକୁ ନେଇ ଉତ୍ତେଜନା ଲାଗିଥିବା ବେଳେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ଟାୟାର ଜାଳିବା ସହିତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଫଳରେ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି। ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି।