ଜଗତସିଂହପୁର: ଶାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା । ଗତକାଲି(ମଙ୍ଗଳବାର)ପାରାଦ୍ବୀପରୁ ଜଣକୁ ଗିରଫ କରିଲା ପୋଲିସ । ଏହାସହ ବାଣ ଗୋଦାମ ମାଲିକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।
ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଗତ ଶନିବାର ଦିନ ଚନ୍ଦନ ଯାତ୍ରା ସମୟରେ ହୋଇଥିବା ବାଣ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ବାଣୁଆଙ୍କୁ ତିର୍ତ୍ତୋଲ ଥାନା ପୋଲିସ ପାରାଦ୍ୱୀପରୁ ଗିରଫ କରିଥିବା ବେଳେ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଲେ କଟରା ପଞ୍ଚାୟତ କୋରାକୋର ଗ୍ରାମର ଶଙ୍କର ବେହେରା ।
ସୂଚନାଅନୁସାରେ, ଶଙ୍କର ଗତ ଶନିବାର ଦିନ ମା' ଶାରଳାଙ୍କ ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ବିନା ଅନୁମତିରେ ପର୍ଯ୍ୟାପ୍ତ ପରିମାଣର ବାଣ ଆଣି ଜନ ଗହଳି ସ୍ଥାନରେ ଫୁଟାଇଥିଲେ । ଫଳରେ ବାଣ ବିସ୍ଫୋରଣ ଘଟି 10ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ । ଏହି ଘଟଣା ଘଟିବା ପରେ ତିର୍ତ୍ତୋଲ ପୋଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିବାରେ ସଫଳ ହୋଇଛି ପୋଲିସ ।