ଜଗସିଂହପୁର: ପାରାଦ୍ଵୀପ ଉଦୟବଟ ନିକଟରେ ଦୀର୍ଘଦିନ ହେବ ଚାଲିଥିବା ତେଲ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପାରାଦ୍ଵୀପ ଲକ୍ ଥାନା ପୋଲିସ । ୩୩ ବ୍ୟାରେଲ ଡିଜେଲ, ଗୋଟିଏ ତେଲ ଟ୍ୟାଙ୍କର ଓ ଗୋଟିଏ ମିନି ଟ୍ରକ୍ ଜବତ କରିଥିବା ବେଳେ ଜଣେ ଚୋରା ତେଲ ବ୍ୟବସାୟୀକୁ ଗିରଫ କରିଛି ପୋଲିସ ।
ପାରାଦ୍ଵୀପର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଏହି ଚୋରା ତେଲ କାରବାରର ଚେର ଲମ୍ବି ଲମ୍ବି ଚାଲିଛି। ପାରାଦୀପରେ ଥିବା ତିନୋଟି ତେଲ ଟର୍ମିନାଲରୁ ଟ୍ୟାଙ୍କର ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ପେଟ୍ରୋଲ, ଡିଜେଲ ଓ କିରୋସିନି ପରିବହନ କରାଯାଇଥାଏ।
ଯେତେବେଳେ ଟର୍ମିନାଲରୁ ଟ୍ୟାଙ୍କର ଯୋଗେ ତେଲ ବାହାରକୁ ଆସେ ବାଟ ରେ ବିଭିନ୍ନ ସ୍ଥାନ ବାଉରିଆପାଳନ୍ଦା, ଉଦୟବିହାର, ଉଦୟବଟ, ଚୁନ ଓ ଭୁତମୁଣ୍ଡାଇ ଠାରେ ଏହି ତେଲ ଟ୍ୟାଙ୍କରରୁ କିଛି ପରିମାଣର ତେଲ କଢା ଯାଇଥାଏ।
ପରେ ଏହି ଚୋରା ତେଲକୁ ମାର୍କେଟ ମୂଲ୍ୟ ଠାରୁ ୧୦ ରୁ ୧୫ ଟଙ୍କା କମ୍ ମୂଲ୍ୟରେ ବାହାରେ ବିକ୍ରି କରାଯାଇଥାଏ। ଏହି ରାକେଟରେ କିଛି ଅସାଧୁ କର୍ମଚାରୀ, ଗାଡି ମାଲିକ, ଡ୍ରାଇଭର ଓ ଚୋରା ତେଲ ବେପାରୀଙ୍କ ସଂପୃକ୍ତି ରହିଛି।