ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆରେ ହେବାକୁ ଥିବା JSWର ଇସ୍ପାତ ପ୍ରକଳ୍ପକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ କିଛି ଲୋକେ ଶିଳ୍ପକୁ ସମର୍ଥନ କରିବା ଆରମ୍ଭ କଲେଣି । ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଗତ 16 ତାରିଖ ଦିନ କମ୍ପାନୀ ବର୍ଦ୍ଧିତ କ୍ଷତି ପୂରଣ ଘୋଷଣା କରିବା ପରେ ଶିଳ୍ପକୁ ବିରୋଧ କରୁଥିବା କିଛି ଲୋକେ ଏବେ ପ୍ରସ୍ତାବିତ ପ୍ରକଳ୍ପକୁ ସମର୍ଥନ ଦେବା ଆରମ୍ଭ କରିଛନ୍ତି ।
ଫଳରେ ବିରୋଧୀ ସଂଗଠନ ଦୁର୍ବଳ ହୋଇଛି । କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ସହ ଆଲୋଚନା କରି ଶିଳ୍ପ ପ୍ରତିଷ୍ଠାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଅପରପକ୍ଷରେ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଢିଙ୍କିଆ ଗ୍ରାମକୁ ଶିଳ୍ପ ହାତକୁ ଟେକି ଦିଆଯିବନି । ଢିଙ୍କିଆ ଭଳି ଉର୍ବର ମାଟିରେ କୌଣସି ପ୍ରକାର ଶିଳ୍ପକୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସପକ୍ଷବାଦୀ ମାନେ ସ୍ପଷ୍ଟ କରିଛନ୍ତି ଯେ ଢିଙ୍କିଆ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସହିତ ସ୍ବାସ୍ଥ୍ୟସେବା,ରାସ୍ତାଘାଟ, ଓ ଗମନାଗମନର ସୁବିଧା ହୋଇ ପାରିବ ।