ଜଗତସିଂହପୁର:ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସମଗ୍ର ବିଶ୍ବରେ ଉଦାହରଣ ସୃଷ୍ଟି କରିଛି । ଜଗତସିଂହପୁର ଜିଲ୍ଲାର ସୁନାମୀ ପ୍ରବଣ ସମୁଦ୍ର ତଟବର୍ତ୍ତି ଅଞ୍ଚଳ ଭାବେ ଜଣାଶୁଣା ଏରସମା ବ୍ଲକର ନୂଆଗାଁ, ଢ଼ିଙ୍କିଆ, ଗଡ଼ବିସନପୁର ଆଦି 25 ଟି ପଞ୍ଚାୟତକୁ ସୁନାମୀ ପ୍ରବଣ ଗ୍ରାମ ଭାବେ 2014 ରେ ଚିହ୍ନଟ କରାଯାଇଥିଲା । ସରକାର ପ୍ରଥମେ ଏହି ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବା ସହିତ ପାଣିପାଗ ଓ ଆଗୁଆ ସୁନାମୀର ସୂଚନା ପାଇଁ ରେଡିୟସର ବ୍ୟବସ୍ଥା କରିଥିଲେ ।
ଜିଲ୍ଲା ପ୍ରଶାସନ ଏହି ସୁନାମୀ ପ୍ରବଣ ଗ୍ରାମର ଲୋକଙ୍କୁ ,ସୁନାମୀ ମୁକାବିଲା ଦିଗରେ ତାଲିମ ଦେବା ପାଇଁ 2015 ରେ ବ୍ୟବସ୍ଥା କରାଯାଇଥିଲା । ଗତ 2019 ମସିହା ଡିସେମ୍ବର 19 ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଡହରିଷପୁରର ନୋଳିଆସାହି ଠାରେ ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନେସ୍କୋ, ଭାରତ ମହାସାଗାରୀୟ ସୁନାମୀ ପରିଚାଳନା କମିଟି, ଏନଡିଆରଏଫ, ଓସଡ଼ମା (ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ)ର ପ୍ରତିନିଧି ଦଳ ସାମିଲ ହୋଇଥିଲେ । ସେଥିରେ ଜଗତସିଂହପୁର ଜିଲ୍ଲା ସୁନାମୀ ସତର୍କତା ବ୍ୟବସ୍ଥାରେ ପ୍ରଥମ ହୋଇଥିଲା । ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ ଇନଫରମେଶନ ସର୍ଭିସ, ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଓ ଅଣ୍ଡମାନ ନିକୋବର ର ବିବିଏମ ସୁନାମୀ ମୁକାବିଲା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଏମାନଙ୍କ ସୁପାରିଶରେ ୟୁନେସ୍କୋ ଓଡ଼ିଶାର ଦୁଇଟି ଜିଲ୍ଲାରୁ ଜଗତସିଂହପୁରକୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।