ଜଗତସିଂହପୁର:ସହରରେ ନିରାଶ୍ରୟଙ୍କ ପାଇଁ ଖୋଲିଥିବା ରାତ୍ର ଆଶ୍ରୟସ୍ଥଳ ଏବେ ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି । ବିଶେଷ କରି ଗରିବ ଓ ନିରାଶ୍ରୟ ବ୍ୟକ୍ତିଙ୍କ ରାତ୍ର ରହଣି ପାଇଁ ରାତ୍ର ଆଶ୍ରୟସ୍ଥଳ ଖୋଳାଯିବାର ବ୍ୟବସ୍ଥା ରହିଛି । ଶୀତଦିନେ କୌଣସି ବ୍ୟକ୍ତି ରାସ୍ତାକଡରେ ଖୋଲା ଆକାଶ ତଳେ ଆଶ୍ରୟ ନନେଇ ଖୋଲାଯାଇଥିବା ରାତ୍ର ଆଶ୍ରୟସ୍ଥଳରେ ବିଶ୍ରାମ ନେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ହେଲେ ଜଗତସିଂହପୁର ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବର୍ତ୍ତମାନ ପ୍ରବଳ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ରାତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇନାହିଁ ।
ସ୍ଥାନୀୟ ଶାରଳା ଦାସ ସଂସ୍କୃତି ଭବନ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ପୌର ପ୍ରଶାସନ ଏକ ବ୍ୟାନର ମାରିଛି । ହେଲେ କୌଣସି ବ୍ୟବସ୍ଥା କରିବାତ ଦୂରର କଥା, ଉକ୍ତ ବିଲ୍ଡିଂରେ ତାଲା ଝୁଲୁଛି । କେବଳ ଆଶ୍ରୟସ୍ଥଳ ନାମରେ ବ୍ୟାନର ନିଜର କାମ ସାରି ଦେଇଛି ପୌର ପ୍ରଶାସନ । ପ୍ରତେକ ଦିନ ଜଗତସିଂହପୁର ସହରର ମେଡ଼ିକାଲକୁ ଶହ ଶହ ସଂଖ୍ୟାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଆସୁଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବିଭିନ୍ନ କାମରେ ବହୁଲୋକ ଆସୁଛନ୍ତି । ହେଲେ ପ୍ରଶାସନର ଏପରି କାର୍ଯ୍ୟ ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।