ଜଗତସିଂହପୁର:ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି । ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହାବିଦ୍ୟାଳୟର ଛାତ୍ରୀ । ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଥିବା ଛାତ୍ରୀବାସ ନିକଟରେ କିଛି ଅସାମାଜିକ ଯୁବକମାନଙ୍କର ଆଡାସ୍ଥଳ ପାଲଟିଛି । ଅଧ ରାତ୍ରିରେ ମହିଳା ହଷ୍ଟେଲ ମଧ୍ୟକୁ କିଛି ଯୁବକ ଅବାଧରେ ପ୍ରବେଶ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।
ଘଟଣା ନେଇ ବାରମ୍ବାର ପ୍ରିନ୍ସପାଲଙ୍କ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଛାତ୍ରୀମାନେ କହିଛନ୍ତି । କଲେଜ କ୍ୟାମ୍ପସ ମଧ୍ୟରେ ଥିବା ଛାତ୍ରୀ ହଷ୍ଟେଲ ଭିତରେ ଲାଗିଥିବା ସିସିଟିଭି କାମ କରୁନାହିଁ । ହଷ୍ଟେଲ ଟି ନିଛାଟିଆ ସ୍ଥାନରେ ଥିବାରୁ ଏଥିରେ ରହୁଥିବା ଛାତ୍ରୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଯାହାକୁ ନେଇ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉପଜିଲ୍ଲାପାଳଙ୍କୁ ଭେଟି କଲେଜର ଅବ୍ୟବସ୍ଥା ବାବଦରେ ଅଭିଯୋଗ କରିଛନ୍ତି । କଲେଜ ପ୍ରିନ୍ସପାଲଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ପଦକ୍ଷେପ ନେଉ ନଥିବା ଛାତ୍ରୀମାନେ କହିଛନ୍ତି ।
ଜଣେ ଛାତ୍ରୀ ଅଭିଯୋଗ କରି କହିଛନ୍ତି, ''ଗତ 5 ଦିନ ହେବ କଲେଜରେ ଥିବା ଛାତ୍ରୀବାସରେ କିଛି ଅସାମାଜିକ ଯୁବର ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ଆମେ ପ୍ରିନ୍ସିପାଲଙ୍କୁ ଜଣାଇଛୁ । ମାତ୍ର ସେ କୌଣସି ପଦକ୍ଷେପ ନେଇ ନାହାନ୍ତି ।''