ପାରାଦ୍ବୀପ: ଧୂଳି ଦରାଣ୍ଡି କାନ୍ଦୁଛି ମାଆ । ଧନରେ ଉଠ କହି ମାଆର ପାଟି ପଡି ଯାଉଛି । ବାପା ପଥର ହୋଇଯାଇଛି । ଏ କଣ ଘଟିଗଲା ବିଶ୍ବାସ କରିବାରୁ ନାରାଜ ବାପା । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପା ମାଆ । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଷଣ୍ଢକୁଦ ବସ୍ତି ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ପ୍ରସ୍ତାବିତ ଏନଆରଏଲ୍ ପ୍ରକଳ୍ପ ପରିସରରେ ପୋତା ଯାଇଥିବା ବାଲିରେ ଖେଳୁଥିବା ସମୟରେ ବାଲିରେ ଫସି ଯାଇଥିବାରୁ ୧୦ବର୍ଷର ନାବାଳକ ମୃତ ହୋଇଥିବା ସନ୍ଦେହ କରାଯାଉଛି । ମୃତ ନାବାଳକ ହେଲେ ପାରାଦ୍ବୀପ ଷଣ୍ଢକୁଦ ବସ୍ତିର ନାରାୟଣ ମଲ୍ଲିକଙ୍କ ପୁଅ ଶୁଭମ୍ ମଲ୍ଲିକ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଅନୁସାରେ, ଶୁଭମ୍ ଗୁରୁବାର ଦିନ ୧୨ଟା ସମୟରେ ପ୍ରସ୍ତାବିତ ଏନ୍. ଆର୍.ଏଲ୍ ପ୍ରକଳ୍ପ ପରିସରକୁ ଖେଳିବାକୁ ଯାଇଥିଲା । ଦୀର୍ଘ ସମୟ ବିତିଥିଲେ ବି ଘରକୁ ଫେରି ନଥିଲା ଶୁଭମ । ପୁଅ ବହୁତ ସମୟ ଯାଏଁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଏହା ପରେ ଏନ୍.ଆର୍.ଏଲ୍ ପ୍ରକଳ୍ପ ପାଇଁ ପୋତା ଯାଇଥିବା ବାଲି ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶୁଭମର ମୃତଦେହ ଦେଖିବାକୁ ମିଳିଥିଲା । ଖବରପାଇ ଜଟାଧାର ମୁହାଣ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ପୋଲିସ ।