ଜଗତସିଂହପୁର:ସୋସିଆଲ ମିଡିଆରେ କେବେଳ ବାପାମାଆଙ୍କ ପାଇଁ ଦିନ ପାଳନ କରାଯାଏ । ହେଲେ ପ୍ରକୃତରେ ଘଟଣା କିଛି ଅଲଗା । ବାପାମାଆଙ୍କୁ ଅବହେଳା କରିବା ସହିତ ନିର୍ଯାତନା ଦେଇଥାଏ ସନ୍ତାନ । ବୟସର ଅପରାହ୍ନରେ ଜୀବନର ଅସହ୍ୟ ଦୁଃଖକୁ ଛାତିରେ ଚାପି ରଖି ଜରାଶ୍ରମର ଆଶ୍ରୟ ନେଇଛନ୍ତି ଅନେକ ବାପାମାଆ । ଜରାଶ୍ରମରେ ବିତୁଛି ଜନ୍ମଦାତାଙ୍କ ଜୀବନ (elderly people stay in oldage home) । ଜୀବନତମାମ୍ ପିଲାଙ୍କ ଭବିଷ୍ୟତ ପାଇଁ ସେମାନେ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରିଥାନ୍ତି ହେଲେ ତାର ମୂଲ୍ୟ ବୁଝେନାହିଁ ସନ୍ତାନ । ଜଗତସିଂହପୁରରେ ଥିବା ମାଆ ସନ୍ତୋଷୀ ଜରାଶ୍ରମରେ ଅନେକ ବାପାମାଆ ରହିଛନ୍ତି ଯାହାଙ୍କୁ ସେମାନଙ୍କ ପିଲା ହତାଦର କରିଛନ୍ତି । ଏବେ ସେମାନଙ୍କ ପାଇଁ କେବଳ ଭଗଭାନ ଭରସା ।
ସାମାଜିକ ମୂଲ୍ୟବୋଧର ଅବ ମୂଲ୍ୟାୟନ ଫଳରେ ସମାଜରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ଆଜିର ଯୁବ ସମାଜ ଯୌଥ ପରିବାର ବଦଳରେ ଏକକ ପରିବାର ପ୍ରତି ଆକର୍ଷିତ ହେଉଛନ୍ତି । ଫଳରେ ଜନ୍ମ ଦେଇଥିବା ବାପା ମାଆ ଅବହେଳିତ ହେବା ସହିତ ସନ୍ତାନମାନେ ସେମାନଙ୍କୁ ବୃଦ୍ଧାଶ୍ରମକୁ ପଠାଇ ଦେଉଛନ୍ତି । ସରକାରୀ ସୂତ୍ର ଅନୁସାରେ ବର୍ତମାନ ସୁଦ୍ଧା ଜିଲ୍ଲାରେ ଆଶ୍ରା ଦ୍ୱାରା ପରିଚାଳିତ ଦୁଇଟି ସରକାରୀ ଅନୁଦାନ ପ୍ରାପ୍ତ ଦୁଇଟି ଜରାଶ୍ରମ ରହିଥିବା ବେଳେ ବେସରକାରୀ ଭାବେ ପାରାଦ୍ୱୀପରେ ଦୁଇଟି, ନାଉଗାଁରେ ଦୁଇଟି ଜଗତସିଂହପୁରରେ ଦୁଇଟି ରହିଛି । ସେହିଭଳି ଅନେକ ସ୍ବାଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଛୋଟବଡ ଜରାଶ୍ରମ ଖୋଲାଯାଇ ଅବହେଳିତ ଓ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ରଖା ଯାଇ ସେବା ଯୋଗାଇ ଦିଆଯାଉଛି ।