ଜଗତସିଂହପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତରତଙ୍ଗ ଗ୍ରାମର ବହୁଚର୍ଚ୍ଚିତ ନୃସିଂହ ବାରିକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ହତ୍ୟାକାରୀ ଚନ୍ଦନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଦୌରାଜଜ ଅଦାଲତ । ଆଜୀବନ ଜେଲ୍ ସହିତ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ମଧ୍ୟ ହୋଇଛି । ୨୦୧୮ ମସିହା ଫେବୃୟାରୀରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଆସାମୀ ଚନ୍ଦନ ନିଜ ବାପା ଓ ଭାଇ ସହ ମିଶି ନୃସିଂହ ବାରିକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲା ।
ସୂଚନା ମୁତାବକ, ଘଟଣାଟି ଘଟିଥିଲା ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରତଙ୍ଗ ଗ୍ରାମରେ । ଗତ ୨୦୧୮ ମସିହା ଫେବୃୟାରୀରେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣକୁ କେନ୍ଦ୍ରକରି ଏଠାରେ ହତ୍ୟାକାରୀ ଚନ୍ଦନ ସାହୁ ଓ ସେହି ଗ୍ରାମର ନୃସିଂହ ବାରିକଙ୍କ ମଧ୍ୟରେ ବିବାଦ ହୋଇଥିଲା । ସେହି ଦିନ ଅଭିଯୁକ୍ତ ଚନ୍ଦନ ସାହୁ ବିବାଦର ସମାଧାନ ପାଇଁ ନୃସିଂହ ବାରିକଙ୍କୁ ଗାଁ ଭାଗବତ ଦାଣ୍ଡକୁ ଡକାଇଥିଲା । ନୃସିଂହ ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପୁଣି ପ୍ରବଳ ଗଣ୍ଡଗୋଳ ହୋଇଥିଲା । ଏହି ବିବାଦ ଉଗ୍ର ରୂପ ନେଇଥିଲା । ରାଗରେ ରକ୍ତ ଚାଉଳ ଚୋବାଇଥିଲା ଚନ୍ଦନ । ଏହାପରେ ଅଭିଯୁକ୍ତ ଚନ୍ଦନ, ତା' ବାପା ଓ ଭାଇ ମିଶି ନୃସିଂହକୁ କଟୁରୀରେ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାମଧ୍ୟ ପଢନ୍ତୁ: ଜଗତସିଂହପୁରରେ ନାବାଳିକା ଦୁଷ୍କର୍ମକାରୀରୁ ୭ ବର୍ଷ ଜେଲ୍