ଜଗତସିଂହପୁର: ଜିଲ୍ଲାର ଇଷ୍ଟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ମା' ଶାରଳାଙ୍କ ମନ୍ଦିରରେ ଆଜି ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ମା'ଙ୍କ ମନ୍ଦିର । ପ୍ରାତଃରୁ ମଙ୍ଗଳ ଆଳତୀ, ମଇଲମ, ମହାସ୍ନାନ, ମଧୁସ୍ନାନ ହେବ ପରେ ମା'ଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା ।
ଏହା ପରେ ପରେ ଦ୍ବାରପାଳ ପୂଜା, ସୂର୍ଯ୍ୟ ପୂଜା ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ, ଖେଚେଡ଼ି ଧୂପ ନୀତି ସହ ପୁନର୍ବାର ମହାସ୍ନାନ କରାଯାଇ ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି । ଏହାକୁ ଦେଖିବା ପାଇଁ ମନ୍ଦିର ପରିସର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ମହାଷ୍ଟମୀ ବ୍ରତ ପାଇଁ ଉପବାସ ରଖିବା ସହ ଚୁଡାଘସା ଭୋଗ ଲାଗି କରିଛନ୍ତି ।