ଓଡିଶା

odisha

ମା’ ଶାରଳାଙ୍କ ମନ୍ଦିରରେ ଲାଗିଲା ନୂଆ କଟକଣା, ଅମାନିଆଙ୍କୁ ମନ୍ଦିର ପ୍ରଶାସନର ତାଗିଦ

By

Published : Jul 9, 2023, 5:49 PM IST

Updated : Jul 11, 2023, 7:42 AM IST

ମା’ ଶାରଳାଙ୍କ ପୀଠରେ ସେବାୟତମାନଙ୍କର ବିଶୃଙ୍ଖଳିତ ଆଚରଣ ଉପରେ ଲାଗିବ ରୋକ । କଟକଣା ଜାରି କଲା ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ । ଅଧିକ ପଢ଼ନ୍ତୁ

ସେବାୟତମାନଙ୍କର ବିଶୃଙ୍ଖଳିତ ଆଚରଣ ଉପରେ ଲାଗିବ ରୋକ
ସେବାୟତମାନଙ୍କର ବିଶୃଙ୍ଖଳିତ ଆଚରଣ ଉପରେ ଲାଗିବ ରୋକ

ସେବାୟତମାନଙ୍କର ବିଶୃଙ୍ଖଳିତ ଆଚରଣ ଉପରେ ଲାଗିବ ରୋକ

ଜଗତସିଂହପୁର: ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଲେ ନିୟମ କଡାକଡି । ସେବାୟତମାନଙ୍କର ବିଶୃଙ୍ଖଳିତ ଆଚରଣ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ମାର୍ଗଦର୍ଶିକା ଜାରି କରିଛି । ମିଳିଥିବା ସୂଚନା ଅନୁସାରେ ଏଣିକି ମନ୍ଦିର ଗର୍ଭଗୃହ ମଧ୍ୟକୁ ଅଣସେବାୟତଙ୍କ ପ୍ରବେଶ ଉପରେ ରୋକ୍ ଲାଗିବ । ସେହିପରି ମା’ଙ୍କ ବେଶ ହୋଇ ସାରିବା ମା’ଙ୍କ ଅଙ୍ଗରୁ ଚନ୍ଦନ ଓ ଫୁଲମାଳ କାଢିବା ନେଇ ମଧ୍ୟ ବିଶେଷ ନିର୍ଦ୍ଦେଶ ରହିଛି । ଅବିବାହିତ ସେବାୟତଙ୍କ ମନ୍ଦିର ଗର୍ଭଗୃହକୁ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି । ସେହିପରି ମା’ଙ୍କ ମନ୍ଦିର ବେଢ଼ା ଓ ଶ୍ରୀ ବିଗ୍ରହଙ୍କର ଫଟୋ ଉତ୍ତୋଳନ ଉପରେ ନିଷେଧାଦେଶ ଜାରି କରାଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ଆବଶ୍ୟକ ହେଲେ କ୍ୟାମେରା ନଥିବା ମୋବାଇଲ ନେଇ ସେବାୟତମାନେ ମନ୍ଦିର ଭିତରକୁ ନେଇ ପାରିବେ ।

ସେହିଭଳି କେତେକ ସେବାୟତ ଯାତ୍ରୀମାନଙ୍କ ସହ ପୂଜାର୍ଚ୍ଚନା କରାଇ ଦେବା ନାଁରେ ଅଧିକ ଚାର୍ଜ ଆଦାୟ କି ଜୋରଜବଦସ୍ତି କରିବା ଉପରେ କଟକଣା ଲାଗିଛି । ଯଦି କୌଣସି ସେବାୟତଙ୍କ ଦ୍ଵାରା ଶ୍ରଦ୍ଧାଳୁଙ୍କୁ ହଇରାଣ ହରକତ କରାଯାଉଥିବାର ଅଭିଯୋଗ ଆସେ, ତେବେ ସଂପୃକ୍ତ ସେବାୟତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ତାଙ୍କୁ ମନ୍ଦିରର ସେବାରୁ ମଧ୍ୟ ନିବୃତ୍ତ କରାଯିବ । ମନ୍ଦିର ମଧ୍ୟରେ ପାନଛେପ ପକାଇବା, ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।

ଏହା ବି ପଢନ୍ତୁ: ଶେଷ ହେଲା ମାଁ ଶାରଳାଙ୍କ ଚନ୍ଦନ ଯାତ୍ରା, ୨୧ ଦିନ ଧରି ଚାଲିବ ଚନ୍ଦନ ନୀତି

ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତମାନଙ୍କ ସମସ୍ୟାକୁ ନେଇ ଏକ ଅଭିଯୋଗ ପତ୍ର ବାକ୍ସ ବେଢ଼ାରେ ସ୍ଥାପନ କରାଯିବ । ଯଦି କେହି ଭକ୍ତ ଅସୁବିଧାରେ ପଡ଼ନ୍ତି ତେବେ ନିଜର ଅଭିଯୋଗ ପତ୍ର ସେଥିରେ ପକାଇ ପାରିବେ । ତିନିଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରଶାସନ କହିଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଗର୍ଭଗୃହକୁ ସମ୍ପୁର୍ଣ୍ଣ ଖାଲି କରାଯିବ । କୌଣସି ଭକ୍ତଙ୍କୁ ମନ୍ଦିର ଗର୍ଭ ଗୃହକୁ ଯଦି କେହି ସେବାୟତ ନିଅନ୍ତି ତେବେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଏହି ନୂଆ ନିୟମ ଆସିବା ପରେ ସେବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କିନ୍ତୁ ନୂତନ ନିୟମ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 11, 2023, 7:42 AM IST

ABOUT THE AUTHOR

...view details