ଜଗତସିଂହପୁର: ଜିଲ୍ଲାରେ ଲମ୍ପି ସ୍କିନ ରୋଗର ଆତଙ୍କ ଦେଖା ଦେଇଛି। ଜିଲ୍ଲାର 8ଟି ବ୍ଲକରେ ଏହି ରୋଗ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଜଗତସିଂହପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ବ୍ୟାପକ ଭାବରେ ଏହି ରୋଗ ଦେଖା ଦେଇଛି। ଯାହାକୁ ନେଇ ଗୋପାଳନ କରୁଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି।
ଲମ୍ପି ସ୍କିନ ରୋଗରେ ଆକ୍ରାନ୍ତ ଗାଈଗୋରୁ ଏହି ରୋଗ, ଏକ ବିଦେଶାଗତ ରୋଗ ହୋଇଥିବାରୁ ଏହାର ନିରାକରଣ ପାଇଁ କୌଣସି ପ୍ରତିଷେଧକ ବ୍ୟବସ୍ଥା ନାହିଁ । ଯାହା ଫଳରେ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ଗାଈ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଯାହାକୁ ନେଇ ପଶୁପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଳୟରେ ଅନେକ ଦିନ ଧରି ତାଲା ଝୁଲୁଛି। ଲୋକେ ପ୍ରାଣୀଧନ ଚିକିତ୍ସାଳୟକୁ ବାରମ୍ବାର ଆସି ନିରାଶ ହୋଇ ଫେରୁଛନ୍ତି।
ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ପ୍ରାଣୀଧନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏ ସମ୍ପର୍କରେ ଜିଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ରମେଶ ବେହେରାଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିନଥିଲେ ଓ ସୂଚନା ଦେଇଥିଲେ ଯେ ଏହା ଏକ ସଂକ୍ରାମକ ରୋଗ, ଏହା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି।
ପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମଣିଷ ଯେପରି ବସନ୍ତ ରୋଗରେ ପୀଡିତ ହୋଇଥାଏ। ସେହିପରି ଗାଈ ଗୋରୁଙ୍କୁ ଲମ୍ପ ସ୍କିନ ବା ଚର୍ମ ଫୋଟକା ଦେଖା ଦେଇଥାଏ। ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଗାଈ ଗୋରୁଙ୍କ ଦେହରେ ବିରିବିରି ହୋଇ ଫଳିଯାଏ । ଜର ଆସେ ଓ ଗୋଡ ଫୁଲିଯାଇଥାଏ। କ୍ରମଶଃ ଦେହରେ ଫୋଟକା ହୋଇ ମାଂସ ଗଳି ପଡେ। ଏହାପରେ ଗାଈର ମୃତ୍ୟୁ ହୋଇଥାଏ। ଏହାର ନିରାକରଣ ଔଷଧ କିଛି ନଥିବା ବେଳେ ପ୍ରତିଷେଧକ ଭାବରେ ହାୟର ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଇ କ୍ଷତକୁ ସୁଖାଇବା ପାଇଁ ପ୍ରୟାସ କରାଯାଇଥାଏ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ