ଓଡିଶା

odisha

ETV Bharat / state

ରାତିପାହିଲେ ବନ୍ଦରନଗରୀରେ ବିରାଜିବେ ବିଶ୍ୱକର୍ମା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଆଲୋକ ମାଳରେ ସଜେଇ ହୋଇଛି ବନ୍ଦର ନଗରୀ ପାରାଦୀପ । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବାହନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 16, 2023, 2:08 PM IST

lord biswakarma puja
lord biswakarma puja

lord biswakarma puja

ପାରାଦ୍ବୀପ: ବନ୍ଦର ନଗରୀ ପାରାଦୀପ ଏବେ ଚଳଚଞ୍ଚଳ । ରାତି ପାହିଲେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଆବାହନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କେଉଁଠି ମୂର୍ତ୍ତି କାରିଗର ବିଶ୍ଵ ବିନ୍ଧାଣୀଙ୍କୁ ଶେଷ ସ୍ପର୍ଶ ଦେଉଥିବା ବେଳେ ଅନ୍ୟ କେଉଁଠି ତୋରଣ କାରିଗର ନିଜ ତୋରଣକୁ ଆକର୍ଷଣୀୟ କରିବାରେ ଲାଗିପଡ଼ିଛନ୍ତି । ବିଶ୍ୱକର୍ମା ପୂଜା ପାଇଁ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦୀପ ।

କୋରୋନା କଟକଣା ଯୋଗୁଁ ବନ୍ଦ ରହିଥିଲା ପୂଜା । ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ପାରାଦ୍ୱୀପର ବିଶ୍ଵକର୍ମା ପୂଜାକୁ ଧୁମଧାମରେ ପାଳନ କରିବାକୁ ପାରାଦ୍ୱୀପ ପୋର୍ଟ ସହିତ ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରସ୍ତୁତି କରିଛନ୍ତି । ପାରାଦ୍ୱୀପର ଏହି ବିଶ୍ଵକର୍ମା ପୂଜାକୁ ୭ ଦିନ ଧରି ପାଳନ କରାଯିବାକୁ ନେଇ ପ୍ରସ୍ତୁତି କରାଯାଇଛି । ଦେବଶିଳ୍ପୀଙ୍କ ଆଗମନରେ ବନ୍ଦର ନଗରୀକୁ ସୁସଜ୍ଜିତ କରାଯାଉଛି । ବିରାଟ ତୋରଣ ସାଙ୍ଗକୁ ଆଲୋକ ମାଳାରେ ସୁସଜ୍ଜିତ ହୋଇ ଝଲସିବ ସମସ୍ତ ପୂଜା ମଣ୍ଡପ । ସେହିପରି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

ପାରାଦ୍ୱୀପ ବିଶ୍ଵକର୍ମା ପୂଜାକୁ ଦେଖିବା ପାଇଁ ଜଗତସିଂହପୁର, ପଡୋଶୀ କେନ୍ଦ୍ରାପଡା, ପୁରୀ, କଟକ ଖୋର୍ଦ୍ଧା, ଆଦି ଜିଲ୍ଲାରୁ ହଜାର ହଜାର ଲୋକେ ଦେଖିବାକୁ ଆସିଥାନ୍ତି । ଯାହାକୁ ନେଇ ପାରାଦ୍ୱୀପ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୂଜା ସମୟରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ପୂଜା ସମୟରେ ସହର ଭିତରେ ଭାରି ଯାନ ନିୟନ୍ତ୍ରଣ ସହିତ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଚମକ ହରାଇବ ପାରାଦ୍ୱୀପ ବିଶ୍ୱକର୍ମା ପୂଜା

ସେହିପରି ପୂଜା ଶାନ୍ତିଶୃଙ୍ଖଳା ସହ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା , ପଲିଥିନ୍ ପ୍ଲାଷ୍ଟିକ ବର୍ଜନ ଓ ଅଶ୍ଲୀଳ ନୃତ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବେଳେ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପାରାଦୀପ ପୌର ପରିଷଦ ପକ୍ଷରୁ ସହରରେ ଅଲୋକୀକରଣ, ପାନୀୟ ଜଳ ଓ ଉଠା ଶୌଚାଳୟର ବ୍ୟବସ୍ଥା ହୋଇଛି । ସେହିପରି ବିଶ୍ଵକର୍ମା ପୂଜା ସମୟରେ ପାରାଦୀପ ସମୁଦ୍ରରେ ଗାଧୋଇବା ଉପରେ କଟକଣା ଲାଗୁ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details