ପାରାଦ୍ଵୀପ: ତୈଳ ବିଶୋଧନାଗାରରେ ଶ୍ରମିକମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ । ବାରମ୍ବାର ଦାବି ସତ୍ତ୍ବେ ଶୁଣୁନାହାନ୍ତି ଆଇଓସିଏଲ (Indian Oil Corporation Ltd) କର୍ତ୍ତୃପକ୍ଷ । ଯାହାକୁ ନେଇ ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ତରଫରୁ ପାରାଦ୍ଵୀପ ତୈଳବିଶୋଧନାଗାର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ, ପ୍ରତିବାଦ ସହିତ କଳା ପତାକା ପ୍ରଦର୍ଶନ କରାଯାଇଛି ।
ଦୀର୍ଘ ବର୍ଷ ହେବ ପାରାଦ୍ବୀପ ତୈଳ ବିଶୋଧନାଗାରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ସଠିକ୍ ସମୟରେ ଦରମା ପାଉନଥିବା ଅଭିଯୋଗ ହୋଇଛି । ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଅନୁଯାୟୀ କୁଶଳୀ କିମ୍ବା ଅଣକୁଶଳୀ ଭାବରେ ଦରମା ମଧ୍ୟ ପ୍ରଦାନ କରାଯାଉନାହିଁ । ଏପରିକି କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କ ପାଇଁ କ୍ୟାଣ୍ଟିନ, ରେଷ୍ଟ ସେଡ, ଗାଡ଼ି ରଖିବା ପାଇଁ ଦେୟମୁକ୍ତ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଉନାହିଁ । ଯାହାକୁ ନେଇ ଅନେକ ଥର ପାରାଦ୍ବୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ତରଫରୁ ପ୍ରତିବାଦ କରାଯାଇଥିଲେ ମଧ୍ୟ ଏଥିରେ କିଛି ସୁଫଳ ମିଳିନାହିଁ ।