ଓଡିଶା

odisha

ETV Bharat / state

ଗୋରଖପୀଠର ରହସ୍ୟ; ଝିଟିପିଟି ଓ ବିଭୂତି ମହିମା - know unknown mystery of gorekhnatha temple

ବିଶ୍ବାସ ମୂଳେ ଭଗବାନ। ସେହି ବିଶ୍ବ ନିୟନ୍ତାଙ୍କୁ ଭାବ ଓ ଭକ୍ତି ସହ ବ୍ୟାକୁଳ ହୃଦୟରେ ଡାକିଲେ ସେ ଓ' କରେ। ଆଉ ପୂରଣ କରେ ଭକ୍ତର ଇପ୍ସିତ ମନବାଞ୍ଝା। ଯୁଗେ ଯୁଗେ ଭିନ୍ନ ଭିନ୍ନ ରୂପରେ ସେ ଅବତାର ନେଇ ଧରାପୃଷ୍ଠକୁ ଆସିଥାଏ ଭକ୍ତର ସାହାରା ପାଲଟିବାକୁ।

ଗୋରଖପୀଠର ରହସ୍ୟ;  ଝିଟିପିଟି ଓ ବିଭୂତି ମହିମା
ଗୋରଖପୀଠର ରହସ୍ୟ; ଝିଟିପିଟି ଓ ବିଭୂତି ମହିମା

By

Published : Jun 12, 2020, 9:01 AM IST

କିଏ କହେ ମନ୍ଦିର ଆଉ କିଏ କହେ ଡାକ୍ତରଖାନା ! କିଏ କହେ ଈଶ୍ଵର ଆଉ କିଏ କହେ ଚଳନ୍ତି ଡାକ୍ତର ! ସଞ୍ଜିବନୀର ପାଦୁକ, ହୁକୁମ୍ ଓ ବିଶ୍ଵାସରେ ଦୁଇଶହ ଵର୍ଷରୁ ଅଧିକହେଵ ଏଠାକାର ଅଲୌକିକ ମହିମା। ମୃତ୍ୟୁର ଆସନ୍ନ ବିପଦକୁ ଟାଳିଵାକୁ ଵିଶ୍ଵାସର ନୈଵେଦ୍ୟ ନେଇ ଲୋକିଟିଏ ଏଠାକୁ ଧାଇଁଆସେ। ତାକୁ ଜଣା ହିଁ ନଥାଏ ପ୍ରତିଦାନରେ ଐଶ୍ବରୀୟ ଉପହାର କଣ ମିଳିଵ ? ଆଶ୍ଵସନାର ରାହା ପାଇବ ନା ମୃତ୍ୟୁର ଦ୍ବାରେ ପହଞ୍ଚିବ ! ତଥାପି ସେ ସର୍ପ ଦଂଶନର ଯନ୍ତ୍ରଣାରେ ଛଟପଟ ହେଉଥିବା ସମ୍ପର୍କୀୟକୁ ମନ୍ଦିର ବେଢାରେ ପକାଇ, ଧୈର୍ଯ୍ୟର ପରୀକ୍ଷା ଦିଏ।

ଗୋରଖପୀଠର ରହସ୍ୟ; ଝିଟିପିଟି ଓ ବିଭୂତି ମହିମା

ଗୋଟିଏ ପଟେ ଚଳିତ ଦଶନ୍ଧିର ମେଡିକାଲ୍ ସାଇନ୍ସ, ସଚେତନ ପରିବାର ବର୍ଗ, ଶିକ୍ଷିତ ବନ୍ଧୁ ପରିଜନ ଏଵଂ ଅନ୍ୟପଟେ ଏହି ଅଲୌକିକ ବିଶ୍ବସନୀୟତା ! ସତରେ କଣ ଆଜିର ସମୟରେ ବିଷାକ୍ତ ସାପ କାମୁଡି ଥିବା ରୋଗୀକୁ ବଞ୍ଚେଇବା ପାଇଁ ମନ୍ଦିର ନିଆଯାଇ ପାରେ ? ଯଦି ଏମିତି ଏକ ପ୍ରଶ୍ନ କେହି ପଚାରନ୍ତି-ତେଵେ ଉତ୍ତର ଦିଆଯାଇ ପାରେ ଯେ, ଜଗତସିଂହପୁର ଜିଲ୍ଲା ବିଭୂତି କ୍ଷେତ୍ର ଗୋରଖନାଥଙ୍କ ପୀଠକୁ ଆସିଲେ ସଵୁ ସହଜରେ ବୁଝିହେଵ।

ବିଶ୍ବାସ ମୂଳେ ଭଗବାନ। ସେହି ବିଶ୍ବ ନିୟନ୍ତାଙ୍କୁ ଭାବ ଓ ଭକ୍ତି ସହ ବ୍ୟାକୁଳ ହୃଦୟରେ ଡାକିଲେ ସେ ଓ' କରେ। ଆଉ ପୂରଣ କରେ ଭକ୍ତର ଇପ୍ସିତ ମନବାଞ୍ଝା। ଯୁଗେ ଯୁଗେ ଭିନ୍ନ ଭିନ୍ନ ରୂପରେ ସେ ଅବତାର ନେଇ ଧରାପୃଷ୍ଠକୁ ଆସିଥାଏ ଭକ୍ତର ସାହାରା ପାଲଟିବାକୁ।

ଧଳା ଝିଟିପିଟିରେ ଦର୍ଶନ ଦିଅନ୍ତି ବାବା

ଜଗତସିଂହପୁର ଜିଲ୍ଲାର ପ୍ରଭୁ ଗୋରଖନାଥଙ୍କ ପୀଠ। ପ୍ରାୟ 200 ବର୍ଷର ପୁରୁଣା ଏହି ଅଲୌକିକ ମନ୍ଦିର। ଏ ମନ୍ଦିର ପୁରୁଣା ଯେତିକି ଏହି ପୀଠର କାହାଣୀ ଶୁଣିବାକୁ ରୋଚକ ସେମିତି। ଏହି ପୀଠରେ ବାବା ଗୋରଖନାଥ ଧଳା ଝିଟିପିଟି ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ବୋଲି ବିଶ୍ବାସ ରହିଛି । ଯାହାକୁ ନେଇ ମନ୍ଦିର ପୂଜକ ତଥା ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ସାକ୍ଷୀ ରହିଛନ୍ତି।

ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି

ଯେଉଁ ନାରୀ ମାନଙ୍କର ସନ୍ତାନ ନ ଥାଏ ସେମାନେ ମାନସିକ ପାଇଁ ମଠ ପରିସରରେ ଥିବା ବରଗଛରେ ଡୋରି ବାନ୍ଧିଥାନ୍ତି ଏବଂ ଅନେକଙ୍କର ମାନସିକ ପୂରଣ ହେବା ସହ ପୁତ୍ର ପ୍ରାପ୍ତି ହୋଇଥିବାର ବିଶ୍ବାସ ରହିଛି। ବିଭିନ୍ନ ସମୟରେ ପ୍ରଭୁଙ୍କ ଏହି କରୁଣା ପୀଠରେ ଶତାଧିକ ଭକ୍ତଙ୍କ ଗହଳି ଚହଳି ଲାଗି ରହେ। ବାବାଙ୍କ ଅପାର କୃପା ଲାଭ ପାଇଁ କାହିଁ କେତେ ଆଡୁ ଭକ୍ତମାନେ ଧାଇଁ ଆସନ୍ତି।

ବିଭୂତିର ମହିମା

ଯେଉଁ ଲୋକଙ୍କୁ ସର୍ପାଘାତ ହୋଇଥାଏ ସେମାନେ ଗୋରଖନାଥ ଉପରେ ବିଶ୍ବାସ ରଖି ବିଭୁତି ଖାଇବା ସହିତ ପାଦୁକ ପାଇଥାନ୍ତି ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ସାରିବା ପରେ ଲେମ୍ବୁ ପାଣି ପଇବା ସହିତ ସାତ ଦିନ ଯାଏ ଆମିଷ ନ ଖାଇବା ପାଇଁ ବାରଣ କରିଥାନ୍ତି । ଆଜି ବି ସର୍ପଘାତ ପରେ ଲୋକମାନେ ମେଡିକାଲ ନ ଯାଇ ଗୋରଖନାଥଙ୍କ ଉପରେ ବିଶ୍ବାସରଖି ଠାକୁରଙ୍କ ପାଖକୁ ଆସିଥାନ୍ତି । ଏହି ପୀଠରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଅଗ୍ନୀ ଉତ୍ସବ ପୂର୍ଣ୍ଣମୀକୁ ଏଠାରେ ବଡପର୍ବ ଭାବରେ ପାଳନ କରାଯିବା ସହ ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ ।

ସର୍ପ ଦଂଶନ ଓ ସତିଆ ଡାକ

ପ୍ରଭୁ ଗୋରଖନାଥ ଶିବଙ୍କ ଅବତାର ହୋଇଥିବାରୁ ଏଠାରେ ସର୍ପାଘାତ ରୋଗୀଙ୍କ ସହିତ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି । ସତ ସତ ଧଳା ଝିଟିପିଟି ଶଦ୍ଦ ହେବା ପରେ ବାବାଙ୍କର ହୁକୁମ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦୀର୍ଘବର୍ଷ ହେବ ଏଠାରେ ବାବାଙ୍କ ଉପରେ ଭକ୍ତଙ୍କ ବିଶ୍ବାସ ରହିଛି । ଏହା ସହିତ ମାନସିକଧାରୀଙ୍କ ମାନସିକ ବାବା ଗୋରଖନାଥ ପୂରଣ କରିଥାନ୍ତି ବୋଲି ଭକ୍ତ ମାନଙ୍କର ବିଶ୍ବାସ ରହିଛି।

ଲୋକକଥା

ନାଥଧର୍ମର ପ୍ରମୁଖ ଯୋଗୀ ତଥା ଈଶ୍ଵରୀପୁତ୍ର ମଶ୍ଚେନ୍ଦ୍ରନାଥ ଏହି ଅଞ୍ଚଳକୁ ଭିକ୍ଷା କରିଵାକୁ ଆସିଥିଲେ। ଭିକ୍ଷା ମାଗି ମାଗି ଯାହାଦ୍ବାରରେ ପହଞ୍ଚିଲେ, ସେ ନାରୀ ଜଣକ ଥିଲେ ଦୁଖିନି। ସନ୍ତାନ ନଥିବା ଦୁ଼ଃଖରେ କାନ୍ଦୁଥିଲେ। ମଶ୍ଚେନ୍ଦ୍ରନାଥ ଏହା ଜାଣି ହାତରୁ ଵିଭୂତି କାଢି ମହିଳାଙ୍କୁ ଦେଲେ ଏବଂ ଏହି ବିଭୂତି ସେବନ କଲେ ସନ୍ତାନ ପ୍ରାପ୍ତି ହେଵ ଵୋଲି କହିଥିଲେ। ମହିଳା ଜଣକ ବିଭୂତି ନଖାଇ ଗୋବର ଖାତକୁ ଫିଙ୍ଗି ଦେଲେ। ଦୀର୍ଘ 12 ବର୍ଷ ପରେ ମଶ୍ଚେନ୍ଦ୍ରନାଥ ସେହି ଗ୍ରାମକୁ ଭିକ୍ଷାମାଗି ଯାଇ ଦେଖିଲେ, ମହିଳା ଜଣକ ପୁଣି କାନ୍ଦୁଛନ୍ତି। କାରଣ ବୁଝି ଗୋଵର ଖାତରୁ ଵିଭୂତି ଆଣିଵାକୁ କହିଲେ। ସେ ଵିଭୂତିକୁ ସ୍ପର୍ଶ କରି 12ଵର୍ଷର ବାଳକ ଉଭା କରାଇଲେ ଏଵଂ ଵାଳକର ନାଁ ଗୋରଖନାଥ ରଖି ଚାଲିଗଲେ। ଗୋରଖନାଥ ଏହି ପୀଠରେ ଧ୍ୟାନମଗ୍ନ ହୋଇ ବରଗଛ ମୂଳେ ଅର୍ନ୍ତଧ୍ୟାନ ହୋଇଗଲେ। ଯାହା ଆଜି ଏହି ପୀଠ ଭାବେ ରୂପାନ୍ତରିତ ହୋଇଛି।

ABOUT THE AUTHOR

...view details