ଜଗତସିଂହପୁର:ପ୍ରେମ ପାଇଁ ଯୁବକଙ୍କର ଉନ୍ମତ୍ତ କାଣ୍ଡ। ପ୍ରେମିକାର ଘରେ ପଶି ପରିବାର ଲୋକଙ୍କୁ ଜଣ ଜଣ କରି ଖଣ୍ଡାରେ ହାଣିଲା ଯୁବକ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ସଦର ଥାନା ଅନ୍ତର୍ଗତ ମଧୁସୂଦନପୁର ଶାସନ ପଞ୍ଚାୟର କେନ୍ଦାଳ ଗ୍ରାମରେ। ପୋଲିସ ପକ୍ଷରୁ ମିିଳିଥିବା ସୂଚନା ଅନୁଯାୟୀ, "କେନ୍ଦାଳ ଗ୍ରାମର ନନ୍ଦନ କୁମାର ବେହେରାଙ୍କ ଝିଅକୁ ସେହି ଗ୍ରାମର ରିତିକ ମହାନ୍ତି ପ୍ରେମ ଜାଲରେ ଫସାଇଥିଲା। ଆଉ ୨୦୨୦ ମସିହାରେ ଉଭୟ ଫେରାର ହୋଇଯାଇଥିଲେ। ଝିଅ ସହିତ ଅଭିଯୁକ୍ତ ରିତିକ 2 ବର୍ଷ ରହିବା ପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲା।"
ଏପରିକି ମାଡ଼ ପରିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଜାବନରୁ ମାରିଦେବା ପାଇଁ ଧମକ ଦେଇ ଆସୁଥିଲା। ଗତ ଜୁଲାଇ ମାସରେ ଅଭିଯୁକ୍ତ ରିତିକ ମହାନ୍ତି ଅନୁପସ୍ଥିତ ଥିବାର ସୁଯୋଗ ନେଇ ଝିଅଟି ସେଠାରୁ ଖସି ନିଜ ବାପଘରକୁ ପଳାଇ ଆସିଥିଲା। ଏହା ରିତିକ ଜାଣିବା ପରେ ଝିଅ ଘରେ ଆସି ପହଞ୍ଚିଥିଲା। ଏହି ଘଟଣାକୁ ନେଇ ଗ୍ରାମର କିଛି ବ୍ୟକ୍ତିଙ୍କ ଉପସ୍ଥିତରେ ଆଲୋଚନା ହୋଇଥିଲା। ଉଭୟ ପୁଅ ଓ ଝିଅଙ୍କୁ ଏକାଠି ରହିବା ପାଇଁ ପଚରାଯିବାରୁ ଉଭୟ ଅଲଗା ଅଲଗା ରହିବା ପାଇଁ କହିଥିଲେ । ଫଳରେ ଝିଅ ତା'ର ବାପଘରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତିରେ ଉଭୟ ସହମତି ମଧ୍ୟ ହୋଇଥିଲେ।
କିଛିଦିନ ଯିବା ପରେ ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ରିତିକ ପ୍ରେମିକାର ଘରେ ପଶିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ରିତିକର ବଡଭାଇ ରାହୁଲଙ୍କ ସମେତ ଅନ୍ଯ ଯୁବକମାନେ ବନ୍ଧୁକ, ଖଣ୍ଡା ଧରି ସଂପୃକ୍ତ ଯୁବତୀଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ। ଏଥିରେ ଯୁବତୀଙ୍କ ବାପା ମା' ଓ ଭାଇ ପ୍ରତିରୋଧ କରିଥିଲେ। ଆଉ ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହିତ ଖଣ୍ଡାରେ ଚୋଟ ପରେ ଚୋଟ ଲଗାଇ ଚାଲିଥିଲେ।