ଜଗତସିଂହପୁର: ଆସନ୍ତା ମଙ୍ଗଳବାର ଜଗତସିଂହପୁର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହେବ । ମା'ଙ୍କ ପୁରାତନ ପୀଠ ଲଣ୍ଡା ଦେଉଳ ପରିସରରେ ଏହି ଝାମୁଯାତ୍ରା ଆୟୋଜନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୀର୍ଘ ୧ ମାସ ଧରି ହବିଷ୍ୟାର୍ଣ୍ଣ ଭୋଜନ ସହ ନିଷ୍ଠାପର ଭାବେ ବ୍ରତ ପାଳିଥିବା ଘଣ୍ଟ ପଟୁଆମାନେ ମା’ ମଙ୍ଗଳା ଏବଂ ଶାରଳାଙ୍କୁ ବିଜେ କରାଇବା ପରେ ଏହି ଯାତ୍ରା ଅନୁଷ୍ଠିତ ହେବ ।
ଦୋଳ ପୂର୍ଣ୍ଣିମା ଠାରୁ ବ୍ରତଧାରୀ ଘଣ୍ଟ ପଟୁଆମାନେ କାକଟପୁର ମା' ମଙ୍ଗଳା ଓ ଝଙ୍କଡ଼ବାସିନୀ ମା' ସାରଳାଙ୍କ ପୂଜାର୍ଚ୍ଚନା କରି ଘଟ ଆଣିଥାନ୍ତି । ଚୈତ୍ରମାସ ପ୍ରଥମ ମଙ୍ଗଳ ବାରରୁ ଦୀର୍ଘ ୧ ମାସ ଧରି ମା' ପୀଠରୁ ଆଣିଥିବା ଘଟ ପରିକ୍ରମା କରନ୍ତି । ପାରମ୍ପରିକ ନୃତ୍ୟ ପରିବେଷଣ ସହ ଚୈତ୍ର ମାସ ସାରା ମା'ଙ୍କ ମହିମା ପ୍ରଚାର ପ୍ରସାର କରିବା ପରେ ମନ୍ଦିର ମୁହାଁ ହୋଇଥାନ୍ତି । ମା'ଙ୍କ ଘଟକୁ ବିଭିନ୍ନ ଗାଁ ପରିକ୍ରମା କରିବା ସହ ସ୍ତୁତି ପାଠ କରି ଗ୍ରାମ ଗ୍ରାମରେ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମହିଳାମାନେ ମା'ଙ୍କ ଘଟରେ ପଣା ଭୋଗ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଚୈତ୍ର ମାସରେ ଦେବୀଙ୍କ ମନ୍ଦିରରୁ ଆସୁଥିବା ଘଟ ନିକଟରେ ପଣା ସମର୍ପଣ କଲେ ମା' ସକଳ ଦୁଃଖ ଦୂର କରିଥାନ୍ତି । କେହିକେହି ଘଟରେ କଳା ଶାଢ଼ୀ ମଧ୍ୟ ଚଢାଇଥାନ୍ତି । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲିଆସୁଛି । ଏହି ପରମ୍ପରା ଆଜିବି ବିଭିନ୍ନ ପୁର ପଲ୍ଲୀରେ ଦେଖିବାକୁ ମିଳିଥାଏ ।