ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ମହୋତ୍ସବର ଦ୍ୱିତୀୟ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ ଆଇଡଲ ବ୍ରାଣ୍ଡର ଏମଡି ମହମ୍ମଦ ଦାନିସଙ୍କ ସୁମଧୁର ଗୀତରେ ଝୁମିଛନ୍ତି ଦର୍ଶକ । ବଲିଉଡ ଗୀତର ତଳେ ତାଳେ ଶହ ଶହ ଯୁବକ ଯୁବତୀ ନାଚି ଉଠିଛନ୍ତି । ଏହି ଅବସରରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ ବିନ୍ଦାସ ଡ୍ୟାନ୍ସ ଦେଖିବାକୁ ମିଳିଛି । ମଞ୍ଚ ତଳେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ବଲିଉଡ ଗୀତରେ ଡ୍ୟାନ୍ସ କରିଛନ୍ତି ।
କଲ୍ଲୋଳ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମହମ୍ମଦ ଦାନିସ ସଙ୍ଗୀତ ପରିବେଷଣ କରିଥିଲେ । ରାତି ୯ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ସେ ନିଜର ଜଲୱା ଦେଇଥିଲେ । ତାଙ୍କ ଗୀତ ଶୁଣି ଦର୍ଶକମାନେ ନାଚିବା ଆରମ୍ଭ କରିବା ବେଳେ ଉପଜିଲ୍ଲାପାଳ ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ । ବିଭିନ୍ନ ଅଧିକାରୀଙ୍କ ସହ ସେ ଧୁମ୍ ଡ୍ୟାନ୍ସ କରିଥିଲେ । ଏପରିକି ସାମ୍ବାଦିକ ଗ୍ୟାଲେରୀକୁ ଆସି ସାମ୍ବାଦିକଙ୍କୁ ନାଚିବା ପାଇଁ ଆମନ୍ତ୍ରଣ କରିଥିଲେ । ସେହିପରି ରାତି ୮ଟା ସମୟରେ ଜିଲ୍ଲାପାଳ ପାରୁଲ ପଟୱାରୀ ନିଜ ପରିବାର ସହ ମହୋତ୍ସବରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ପରିବାର ଲୋକେ ମଧ୍ୟ ଗୀତର ତାଳେ ତାଳେ ଝୁମୁଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ଯୁବବର୍ଗଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଯାଇଥିଲା ।