ଜଗତସିଂହପୁର:ଜିଲ୍ଲା ଟେଣ୍ଡ ଓ ସାଉଣ୍ଡ ମାଲିକ ସଂଘ ବୈଠକ । ସରକାର ଆମର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରୁଛନ୍ତି । ସମଗ୍ର ଜଗତସିଂହପୁର ଜିଲ୍ଲାରେ ମୋଟ 10 ହଜାରରୁ ଅଧିକ ସାଉଣ୍ଡ ସଂସ୍ଥା ଥିବାବେଳେ 60 ହାଜରରୁ ଅଧିକ ଲୋକେ ଏଥିରେ ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ସେମାନଙ୍କ ଜୀବିକା ନିର୍ବାହରେ ବାଧକ ସାଜିଛନ୍ତି ସରକାର ଓ ପ୍ରଶାସନ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିଛି ଜଗତସିଂହପୁର ଜିଲ୍ଲା ଟେଣ୍ଡ ଓ ସାଉଣ୍ଡ ମାଲିକ ସଂଘ ।
ସଙ୍ଘର ସଭାପତି ଶିଶିର କୁମାର ଦାଶ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜେ ସାଉଣ୍ଡକୁ ବ୍ୟାନ କରାଯାଇଛି । ତେବେ ଏହା ସ୍ୱାଗତଯୋଗ୍ୟ, କିନ୍ତୁ ସାଧାରଣତଃ ବାହାଘର, ବ୍ରତ ଘର, ପୂଜା ଭସାଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଥିବା ସାଉଣ୍ଡ୍କୁ ଜିଲ୍ଲା ପ୍ରଶାସନ ଅନୁମତି ଦେଉନାହିଁ । ବାହାଘର ଶୋଭାଯାତ୍ରା ପାଇଁ ଯଦି ଜଣେ ବ୍ୟକ୍ତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅନୁମତି ପାଇଁ ଯାଉଛି, ତାହାଲେ ସେଥିରେ ଲେଖାଯାଉଛି ନୋ ଡିଜେ । ସେହି ନିୟମକୁ ମାନି ଯଦି ଜଣେ ସାଉଣ୍ଡ୍ ଅପରେଟ ସାଧା ବକ୍ସ ବ୍ୟବହାର କରୁଛି । ତାହାଲେ ତାକୁ ମଧ୍ୟ ସ୍ଥାନୀୟ ପୋଲିସ ଜବତ କରୁଛି ଓ ଫାଇନ ବାବଦରେ ହଜାର ହଜାର ଟଙ୍କା ଜରିମାନା ପକାଯାଉଛି ।
ଯାହାଫଳରେ ଋଣ କରି ସାଉଣ୍ଡ ଲାଇଟ ବ୍ୟବସାୟ କରୁଥିବା ମାଲିକଟି କ୍ଷତି ସହୁଛି । ସେଠାରେ କାମ କରି ପରିବାର ପୋଷୁଥିବା ବ୍ୟକ୍ତିଟି ମଧ୍ୟ ଜୀବିକା ହରାଉଛି । 50 ଡେସିବିଲ ମଧ୍ୟରେ ସାଉଁଟ ବଜାଇବାକୁ ପ୍ରଶାସନ ଅନୁମତି ଦେଉଛି । କିନ୍ତୁ ଅନେକ ସ୍ଥାନରେ ଶବ୍ଦ ମାପିବା ଯନ୍ତ୍ରରେ ଶବ୍ଦ ନ ମାପି ପୋଲିସ ସାଉଣ୍ଡ୍ ସେଟକୁ ଜବତ କରୁଛି । ଯାହା ଠିକ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।