ଜଗତସିଂହପୁର:ନାଉଗାଁ ବିଡିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ନିରପେକ୍ଷ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାନ୍ସ ପଞ୍ଚାୟତର ସରପଞ୍ଚ ଏହି ଅଭିଯୋଗ ଆଣିଛନ୍ତି । ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଘୋଡାନ୍ସରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଡ଼ିଓ ମିଶି ଚଞ୍ଚକତା କରି ୨ ଲକ୍ଷ ୮୬ ହଜାର ୬୨୦ ଟଙ୍କା ଆତ୍ମସାତ କରିଛନ୍ତି । ସରପଞ୍ଚଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ଜଗତସିଂହପୁର ପିଡ଼ିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସେ ୨୦୨୨ ମାର୍ଚ୍ଚ ୧୧ ତାରିଖରୁ ସେ ଘୋଡାନ୍ସ ସରପଞ୍ଚ ଭାବରେ କାର୍ଯ୍ୟ କରିଆସୁଛନ୍ତି । ତେବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କୁ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଣସି ସହଯୋଗ କରିନାହାନ୍ତି । ପୂର୍ବରୁ ପଞ୍ଚାୟତରେ ହୋଇଥିବା ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଜାଣି ସେ ବିଲ୍ କରିବାକୁ ଅନୁମତି ଦେଇନଥିଲେ । କିନ୍ତୁ ବିଡିଓ ତାଙ୍କୁ ଡକାଇ ବିଲରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ବ୍ଲକ କର୍ମଚାରୀ ଚଞ୍ଚକତା କରି ପଞ୍ଚାୟତରେ ବିଦ୍ୟୁତ ବିଲ ପୈଠ ପାଇଁ ସରପଞ୍ଚ ନିହାରଙ୍କ ଠାରୁ ଡିଜିଟାଲ ଦସ୍ତଖତ ନେଇ ତାଙ୍କର ଅଜଣାତରେ ଚଞ୍ଚକତା କରି ପଞ୍ଚାୟତର ସିଏଫସି ଓ ଏମଏଫସି ଆକାଉଣ୍ଟରୁ ମୋଟ ୨ଲକ୍ଷ ୮୬ ହଜାର ୬୨୦ ଟଙ୍କା ହଡପ କରିଥିବା ସେ ଅଭିଯୋଗ ଆଣିଛନ୍ତି ।