ଜଗତସିଂହପୁର:ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ 10 ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା କରାଯାିଇଛି । ଦୁଷ୍କର୍ମକାରୀକୁ ଏଭଳି ରାୟ ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟ । ୨୦୧୮ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ହୀରାପୁର ଗ୍ରାମର ନାରାୟଣ ପୂଜାହାରୀ ପୁଅ ସୁକାନ୍ତ ପୂଜାହାରୀ ପାରାଦ୍ୱୀପରେ ରହି ଆସୁଥିଲା । ୨୦୧୮ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ଦିନ ପାରାଦ୍ୱୀପ ବାଲିଯାତ୍ରା ଦେଖିବା ପାଇଁ ଆସିଥିବା ଜଣେ ୧୪ ବର୍ଷୀୟା ନାବାଳିଳାକୁ ଜୋର ଜବରଦସ୍ତ ଅପହରଣ କରିନେଇ ନେଇଥିଲା ସୁକାନ୍ତ ପୂଜାହାରୀ । ଅପହରଣ କରି ସାଲେପୁର ନେଇ ସେଠାରେ ଏକ ନିର୍ଜନ ସ୍ଥାନରେ ରଖି ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରିଥିଲା । ପରେ ନାବାଳିକାଟିକୁ ଜଗତସିଂହପୁର ଜିଲ୍ଲା ସ୍ଥିତ ଶାରଳା ରୋଡ଼ ନିକଟରେ ଛାଡ଼ିଦେଇ ଚାଲି ଯାଇଥିଲା ।
ଏହାମଧ୍ୟ ପଢନ୍ତୁ..୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ, ଥାନାରେ ମାମଲା
ପରେ ପୀଡ଼ିତା ନାବାଳିକର ବାପାମାଆ ଏନେଇ ଖବର ପାଇବା ପରେ ଝିଅଟିକୁ ଉଦ୍ଧାର କରିଥିଲେ । ପରେ ପାରାଦ୍ୱୀପ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ପାରାଦ୍ୱୀପ ପୋଲିସ ଏହି ଘଟଣାରେ ତଦନ୍ତ କରି ସାଲେପୁରରୁ ଅଭିଯୁକ୍ତ ସୁକାନ୍ତକୁ ଗିରଫ କରିଥିଲା । ଡ଼ାକ୍ତରୀ ରିପୋର୍ଟ ଓ ୨୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଗୁରୁବାର ଦିନ ଜଗତସିଂହପୁର ଫାଷ୍ଟଟ୍ରାକ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ 10 ବର୍ଷର ସଶ୍ରମ କାରାଦଣ୍ଡଦେଶ ସହ ୧୫ ହଜାର ଟଙ୍କା ଜରିମାନା ନେଇ ରାୟ ଶୁଣାଇଥିଲେ । ଅନ୍ୟପଟେ ପୀଡ଼ିତା ନାବାଳିକାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।