ଜଗତସିଂହପୁର: କେନ୍ଦ୍ରପଡାରେ ଜିଲ୍ଲାରେ ଗତକାଲି(ସୋମବାର) କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଜଗତସିଂହପୁର ପ୍ରଶାସନ ପକ୍ଷରୁ କଡାକଡି ସତର୍କତା ଅବଲମ୍ବନ କରାଯାଉଛି । କେନ୍ଦ୍ରପଡା ଆକ୍ରାନ୍ତଙ୍କ ଚିହ୍ନଟ ପରେ କେନ୍ଦ୍ରପଡାର ନିକଟତର ଜଗତସିଂହପୁର ହୋଇଥିବାରୁ ପ୍ରଶାସନର ଚିନ୍ତା ବଢିଯାଇଛି।
ଜଗତସିଂହପୁର ପ୍ରଶାସନର ସତର୍କତା ଏନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି(ମଙ୍ଗଳବାର) ସାପ୍ତାହିକ ସୋମନାଥ ହାଟକୁ ସ୍ଥାନାନ୍ତର କରାଯାଇ ସହରର ପୋଷ୍ଟ ଅଫିସ୍ ଛକଠାରୁ ରସ୍ମିହଲ୍ ପର୍ଯ୍ୟନ୍ତ କରିବା ସହ ସକାଳ ୬ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବସିବାର ନିଷ୍ପତି ନିଆଯାଇଥିଲା।
କିନ୍ତୁ କେନ୍ଦ୍ରାପଡା ଘଟଣାକୁ ନେଇ ଶେଷ ମୂହର୍ତ୍ତରେ ପ୍ରଶାସନ ଏହି ନିଷ୍ପତିରୁ ଓହରି ଯିବା ସହିତ ସକାଳ ୬ଟା ରୁ ଦିନ ୧୦ଟା ଭିତରେ ସୀମିତ ରଖାଯାଇଛି । ଅନ୍ୟପଟେ ସହର ଭିତରକୁ ଦୁଇ ଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପାଦରେ ଚାଲିଚାଲି ଆସୁଥିବା ଲୋକଙ୍କୁ ବିନା ବ୍ୟାଗରେ ସହର ମଧ୍ୟକୁ ଛଡାଯାଇ ନାହିଁ।
ଅନ୍ୟପଟେ ଜଗତସିଂହପୁର ଜିଲ୍ଲାରୁ କେନ୍ଦ୍ରାପଡାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଦିଆଯାଇଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭରତ